ଶିକ୍ଷକରୁ ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ, ସତ୍ୟବ୍ରତ ଗହୀରଙ୍କ ସଫଳତାର ନୂଆ ଅଧ୍ୟାୟ
ସିନାପାଲି, ୭/୯ (ଭଞ୍ଜଦୂତ) (ଧର୍ମେନ୍ଦ୍ର କୁମାର ଗହିର): ନିଜର କର୍ତ୍ତବ୍ୟନିଷ୍ଠା, ସରଳ ବ୍ୟବହାର, ଶିକ୍ଷା ପ୍ରତି ସମର୍ପଣ ଓ ସାମାଜିକ ଦାୟିତ୍ୱବୋଧ ପାଇଁ ସିନାପାଲି ଅଞ୍ଚଳରେ ନିଜସ୍ୱ ପରିଚୟ ସୃଷ୍ଟି କରିଥିବା ଶିକ୍ଷାବିତ୍ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି।
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ସେ ଦୀର୍ଘଦିନ ଧରି ଶିକ୍ଷାଦାନ ସହ ବିଦ୍ୟାଳୟର ଶୈକ୍ଷିକ ଓ ସାମଗ୍ରିକ ବିକାଶରେ ଅବଦାନ ରଖିଥିଲେ। ଏଥିସହ ସେ ବରିଷ୍ଠ ଶିକ୍ଷା ସଂଗଠକ, କବି, ଲେଖକ ଓ ଆଲୋଚକ ଭାବେ ମଧ୍ୟ ପରିଚିତ।ଗୋବିନ୍ଦପୁର ଆଞ୍ଚଳିକ ସାଧନ କେନ୍ଦ୍ରର ସିଆରସିସି ଭାବେ କାର୍ଯ୍ୟ କରିବା ସମୟରେ ଶିକ୍ଷା ବ୍ୟବସ୍ଥାର ବିକାଶ, ଛାତ୍ରଛାତ୍ରୀଙ୍କ ହିତ ଓ ବିଦ୍ୟାଳୟଗୁଡ଼ିକର ଶୈକ୍ଷିକ ପରିବେଶକୁ ସୁଦୃଢ଼ କରିବାରେ ତାଙ୍କର ସକ୍ରିୟ ଭୂମିକା ରହିଥିଲା। ଟିମନପୁରଠାରେ “ଓଡ଼ିଶା ଆଦର୍ଶ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ” ପ୍ରତିଷ୍ଠା ଏବଂ ମାଝୀପଡ଼ା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ଉନ୍ନୀତ କରିବାର ଆୟୋଜନରେ ମଧ୍ୟ ତାଙ୍କର ଅବଦାନ ରହିଥିବା କୁହାଯାଏ।
ସେହିପରି ନୀଳଜି ସରସ୍ୱତୀ ଶିଶୁ ମନ୍ଦିର ପ୍ରତିଷ୍ଠାରେ ମଧ୍ୟ ସେ ଜଣେ ପ୍ରମୁଖ କର୍ଣ୍ଣଧାର ଭାବେ ଜଡ଼ିତ ଥିଲେ। ସରକାରୀ ଶିକ୍ଷା ସହିତ ସଂସ୍କାରଧର୍ମୀ ଶିକ୍ଷାର ପ୍ରସାର ପାଇଁ ସିନାପାଲି ବ୍ଲକ ଏକଳ ଅଭିଯାନ ସହ ମଧ୍ୟ ସେ ସହଯୋଗୀ ଓ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିଆସିଛନ୍ତି। ନୀଳଜି ବିଦ୍ୟାଳୟରେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ସହ ଚରିତ୍ର ଗଠନ, ଶୃଙ୍ଖଳା ଓ ମନୋବଳ ବୃଦ୍ଧିକୁ ସେ ଗୁରୁତ୍ୱ ଦେଇଥିଲେ। ସହକର୍ମୀଙ୍କ ପାଇଁ ସହଯୋଗୀ, ଛାତ୍ରଛାତ୍ରୀଙ୍କ ପାଇଁ ମାର୍ଗଦର୍ଶକ ଏବଂ ଅଭିଭାବକଙ୍କ ପାଇଁ ଭରସାଯୋଗ୍ୟ ଶିକ୍ଷାବିତ୍ ଭାବେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିଥିଲେ।
ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ନୂଆ ଦାୟିତ୍ୱ ଗ୍ରହଣ ପରେ ତାଙ୍କର ଅଭିଜ୍ଞତା, ଜ୍ଞାନ ଓ ଦକ୍ଷତା ସମଗ୍ର ସିନାପାଲି ବ୍ଲକର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ଶିକ୍ଷାପ୍ରେମୀ ମହଲ ଆଶା ପ୍ରକାଶ କରିଛନ୍ତି। ଶ୍ରୀ ଗହୀରଙ୍କ ନୂତନ ଦାୟିତ୍ୱ ଗ୍ରହଣ ଅବସରରେ ସିନାପାଲି ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ, ସିଆରସିସିବୃନ୍ଦ, ଶିକ୍ଷାପ୍ରେମୀ, ବୁଦ୍ଧିଜୀବୀ ଓ ଶୁଭେଚ୍ଛୁମାନେ ତାଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି।
