ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର
ବରଗଡ :୦୯/୦୯(ନି ପ୍ର) ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପକ୍ଷରୁ ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ସମ୍ପର୍କରେ ଏକ ଦ୍ୱିଦିବସୀୟ ତାଲିମ ଶିବିର ଆରମ୍ଭ ହୋଇଛି। ବ୍ଲକ କୃଷି ଅଧିକାରୀ ଦିଲୀପ କୁମାର ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ଧାନ ଚାଷରେ ସନ୍ତୁଳିତ ସାର ବ୍ୟବହାର, ମାଟିର ଉର୍ବରତା ବଜାୟ ରଖିବା ଏବଂ ଉତ୍ପାଦନ ବୃଦ୍ଧି ଭଳି ବିଭିନ୍ନ ବିଷୟରେ ଚାଷୀମାନଙ୍କୁ ତାଲିମ ପ୍ରଦାନ କରାଯାଉଛି।ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମମତା ରାଣୀ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧାନ ଚାଷରେ ଆଧୁନିକ କୃଷି ପଦ୍ଧତି ସହିତ ବୈଜ୍ଞାନିକ ଭାବେ ପୋଷକତତ୍ତ୍ୱ ପରିଚାଳନା କରିବାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଆତ୍ମା, ବରଗଡ଼ର ଉପନିର୍ଦ୍ଦେଶିକା ଶୁଭଶ୍ରୀ ସୌମ୍ୟା ବିଭାର ଯୋଗଦେଇ ଚାଷୀମାନେ ମାଟିର ଆବଶ୍ୟକତା ଅନୁଯାୟୀ ସାର ପ୍ରୟୋଗ କରିବା ସହିତ ଜୈବିକ ସାରର ବ୍ୟବହାର ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଇଥିଲେ।ତାଲିମ ଶିବିରରେ ବିଟିଏମ୍ ଶୁକଦେବ ମହାରଣା, ବରପାଲି ସହକାରୀ କୃଷି ଅଧିକାରୀ ଋତୁପର୍ଣ୍ଣା ତ୍ରିପାଠୀ ଏବଂ କୁମ୍ଭାରୀ କୃଷି ପରିଦର୍ଶନ ଅଧିକାରୀ ଧୀରେନ୍ଦ୍ର କୁମାର ଭୋଇ ଯୋଗଦେଇ ଚାଷୀମାନଙ୍କୁ ସମନ୍ୱିତ ସାର ପରିଚାଳନା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ।
ଧାନ ଫସଲରେ ନାଇଟ୍ରୋଜେନ, ଫସ୍ଫରସ୍ ଓ ପଟାସ ଭଳି ମୁଖ୍ୟ ପୋଷକତତ୍ତ୍ୱର ସନ୍ତୁଳିତ ବ୍ୟବହାର ସହିତ ଆବଶ୍ୟକତା ଅନୁଯାୟୀ ଅନ୍ୟାନ୍ୟ ସୂକ୍ଷ୍ମ ପୋଷକତତ୍ତ୍ୱ ପ୍ରୟୋଗ ଉପରେ ଆଲୋଚନା କରାଯାଇଥିଲା। ଅତ୍ୟଧିକ କିମ୍ବା ଅନାବଶ୍ୟକ ସାର ବ୍ୟବହାର ଦ୍ୱାରା ମାଟିର ଗୁଣବତ୍ତା ହ୍ରାସ ପାଇବା ସହିତ ଚାଷ ଖର୍ଚ୍ଚ ବଢ଼ିପାରେ ବୋଲି ଚାଷୀମାନଙ୍କୁ ସଚେତନ କରାଯାଇଥିଲା। ମାଟି ପରୀକ୍ଷା ଆଧାରରେ ସାର ପ୍ରୟୋଗ କଲେ ଚାଷ ଖର୍ଚ୍ଚ କମାଇ ଧାନର ଉତ୍ପାଦନ ଓ ଗୁଣବତ୍ତା ବୃଦ୍ଧି କରାଯାଇପାରିବ ବୋଲି ତାଲିମଦାତାମାନେ ପରାମର୍ଶ ଦେଇଥିଲେ।
ଏହି ଅବସରରେ ଚାଷୀମାନଙ୍କ ପକ୍ଷରୁ ଧାନ ଚାଷ ସମୟରେ ସାର ପ୍ରୟୋଗ, ମାଟିର ଉର୍ବରତା, ଫସଲର ବିକାଶ ଓ ଉତ୍ପାଦନ ବୃଦ୍ଧି ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଉପସ୍ଥାପନ କରାଯାଇଥିଲା। କୃଷି ବିଭାଗର ଅଧିକାରୀମାନେ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ଚାଷୀମାନଙ୍କୁ ଆବଶ୍ୟକୀୟ କୃଷି ପରାମର୍ଶ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ କୃଷକ ସାଥୀ ସତ୍ୟବାନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜଗଦାନନ୍ଦ ଦିଶ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ତାଲିମ ଶିବିରରେ ଅଗ୍ରଣୀ ଚାଷୀ ମହେଶ୍ୱର ପଧାନଙ୍କ ସମେତ ବହୁ ସଂଖ୍ୟକ ଚାଷୀ ଯୋଗଦେଇଥିଲେ।
କୃଷକମାନଙ୍କୁ ଆଧୁନିକ ଓ ବୈଜ୍ଞାନିକ କୃଷି ପଦ୍ଧତି ସହିତ ପରିଚିତ କରାଇବା ଏବଂ ଧାନ ଚାଷରେ ସାରର ସଠିକ୍ ବ୍ୟବହାର ସମ୍ପର୍କରେ ଜ୍ଞାନ ପ୍ରଦାନ କରିବା ଏହି ଦ୍ୱିଦିବସୀୟ ତାଲିମ ଶିବିରର ମୁଖ୍ୟ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମ ପରିଚାଳନାରେ ମାନସ ରଞ୍ଜନ ପଧାନ ଓ ଜଗଦିଶ ପାଣ୍ଡେ ସହଯୋଗ କରିଥିଲେ।
