ସାଧୁ ଗୌରେଶ୍ୱର ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍ଯାପିତ
**********************
କନିକାପଡ଼ା, ଯାଜପୁର, ୦୯/୦୯(ଭଞ୍ଜଦୂତ ଖବର :ସରୋଜ କୁମାର ଧଳ)
ଯାଜପୁର ଜିଲ୍ଲାର ଅଗ୍ରଣୀ ଉଚ୍ଚଶିକ୍ଷାନୁଷ୍ଠାନ ସାଧୁ ଗୌରେଶ୍ୱର ମହାବିଦ୍ୟାଳୟ, କନିକାପଡ଼ାଠାରେ ‘ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ପ୍ରକୋଷ୍ଠ’ ପକ୍ଷରୁ ଆୟୋଜିତ ସପ୍ତାହବ୍ୟାପୀ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ବୁଧବାର ସଫଳତାର ସହ ଉଦ୍ଯାପିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଗତ ସେପ୍ଟେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ତାଲିମ ଶିବିରରେ ମହାବିଦ୍ୟାଳୟର ବହୁସଂଖ୍ୟକ ଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ସାମ୍ପ୍ରତିକ ସମୟରେ ମହିଳାମାନଙ୍କ ବିରୋଧରେ ବଢ଼ୁଥିବା ଅପରାଧକୁ ରୋକିବା ଓ ସେମାନଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ‘ଓଡ଼ିଶା ଯୁବ ନୀତି’ ଅଧୀନରେ ଏହି ବିଶେଷ କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ଏହି ସପ୍ତାହବ୍ୟାପୀ ଶିବିରରେ ତାଲିମଦାତ୍ରୀ ସୁଶ୍ରୀ କାଜଲ ଛାତ୍ରୀମାନଙ୍କୁ ବିପଦ ସମୟରେ ନିଜକୁ କିପରି ସୁରକ୍ଷିତ ରଖିହେବ, ସେ ନେଇ ‘ପଞ୍ଚ’, ‘କିକ୍’, ‘ବ୍ଲକ୍’ ଭଳି ବିଭିନ୍ନ ବ୍ୟାବହାରିକ କୌଶଳ (Practical Techniques) ଶିଖାଇବା ସହ ନିଜ ସୁରକ୍ଷା ନିଜେ କରିବାର କୌଶଳ ପ୍ରଶିକ୍ଷଣ ଦେଇଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜିତେନ୍ଦ୍ର କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍ଯାପନୀ ସମାରୋହରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶିବାନନ୍ଦ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ ଯେ ଆତ୍ମସୁରକ୍ଷା କେବଳ ଏକ ଶାରୀରିକ କୌଶଳ ନୁହେଁ, ଏହା ନାରୀର ଆତ୍ମବିଶ୍ୱାସ ବୃଦ୍ଧିର ଏକ ପ୍ରମୁଖ ମାଧ୍ୟମ ଏବଂ ସମାଜର ସମାନ୍ତରାଳ ବିକାଶ ପାଇଁ ନାରୀ ସୁରକ୍ଷା ଓ ସମ୍ମାନ ଅପରିହାର୍ଯ୍ୟ।
ଏହି ସଭାରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ କର ଏବଂ ଶିଶୁ ସୁରକ୍ଷା ସହାୟତା କେନ୍ଦ୍ରର ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ବୀରେନ୍ଦ୍ର କୃଷ୍ଣ ଦାଶ ଯୋଗଦେଇଥିଲେ। ସେମାନେ ଛାତ୍ରୀମାନଙ୍କୁ ଶାରୀରିକ ସୁରକ୍ଷା ସହିତ ଆଇନଗତ ଅଧିକାର, ଶିଶୁ ଓ ମହିଳା ସୁରକ୍ଷା ଆଇନ ଏବଂ ଜରୁରୀକାଳୀନ ସହାୟତା ବିଷୟରେ ସଚେତନ କରାଇଥିଲେ।
ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଦୀପ କୁମାର ଶତପଥୀ, ରସାୟନ ବିଭାଗ ମୁଖ୍ୟ ନିର୍ମଳ କୁମାରଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ପ୍ରକୋଷ୍ଠର ସଂଯୋଜିକା ଡ. ସୁମତି ଦେଇ ଅତିଥି ପରିଚୟ ପ୍ରଦାନ କରିବା ସହ ସମଗ୍ର ସଭାକୁ ସୁଚାରୁରୂପେ ସଞ୍ଚାଳନ କରିଥିଲେ।
ତାଲିମ ଗ୍ରହଣ କରିଥିବା ଛାତ୍ରୀ ପିପାଲିସା ସାହୁ, ଅର୍ପିତା ନାୟକ, ପାୟଲ ପଣ୍ଡା, ଶୁଭଲକ୍ଷ୍ମୀ ରଥ ଓ ସୋପ୍ନା ସୋନାଲୀ ନାୟକ ନିଜ ନିଜର ଅନୁଭୂତି ବ୍ୟକ୍ତ କରିଥିଲେ। ସେମାନେ ପ୍ରକାଶ କରିଥିଲେ ଯେ ଏହି ୭ ଦିନିଆ ଶିବିର ଦ୍ୱାରା ସେମାନଙ୍କ ମନରୁ ଭୟ ଓ ସଙ୍କୋଚ ଦୂର ହୋଇଛି ଏବଂ କୌଣସି ବିପଦପୂର୍ଣ୍ଣ ପରିସ୍ଥିତିର ଦୃଢ଼ତାର ସହ ସାମ୍ନା କରିବା ପାଇଁ ଅପୂର୍ବ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। କାର୍ଯ୍ୟକ୍ରମର ଶେଷରେ ଇତିହାସ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ମଲ୍ଲିକ ସମସ୍ତ ଅତିଥି, ପ୍ରଶିକ୍ଷିକା ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
