୧୨ରେ ବ୍ରହ୍ମପୁରରେ ତୃତୀୟ ଜାତୀୟ ଲୋକ ଅଦାଲତ
ଆପୋଷ ବୁଝାମଣାରେ ମାଗଣାରେ ହେବ ମାମଲା ଗୁଡିକର ସମାଧାନ
ବ୍ରହ୍ମପୁର, ତା. ୦୮/୦୯/୨୦୨୬: ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ପକ୍ଷରୁ ଚଳିତମାସ ୧୨ ତାରିଖରେ ବ୍ରହ୍ମପୁରସ୍ଥିତ ସିଭିଲ୍ କୋର୍ଟ ପରିସରରେ ‘ତୃତୀୟ ଜାତୀୟ ଲୋକ ଅଦାଲତ’ ଅନୁଷ୍ଠିତ ହେବ।
ଏହି ଲୋକ ଅଦାଲତରେ ଦେୱାନୀ ମାମଲା, ସାଲିସଯୋଗ୍ୟ ଫୌଜଦାରୀ ମାମଲା, ବୈବାହିକ ବିବାଦ, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା, ବ୍ୟାଙ୍କ ଋଣ ପରିଶୋଧ ସମ୍ପର୍କିତ ମାମଲା, ବିଦ୍ୟୁତ୍ ଓ ଜଳ କର ସମ୍ପର୍କିତ ବିବାଦ ସମେତ ବିଭିନ୍ନ ମାମଲାର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯିବ। ଏଥିସହ ମକଦ୍ଦମା ପୂର୍ବ ବିବାଦଗୁଡ଼ିକର ମଧ୍ୟ ଆପୋଷ ସମାଧାନ କରାଯିବ।
ଲୋକ ଅଦାଲତରେ ଆପୋଷ ବୁଝାମଣା ଆଧାରରେ ମାମଲାର ଶୀଘ୍ର ଓ ସହଜ ସମାଧାନର ସୁଯୋଗ ମିଳିଥାଏ। ଏଠାରେ ହୋଇଥିବା ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥାଏ ଏବଂ ଏଥିପାଇଁ କୌଣସି କୋର୍ଟ ଫି ଦେବାକୁ ପଡ଼େ ନାହିଁ। ଫଳରେ ମାମଲାର ଦୀର୍ଘସୂତ୍ରତା ହ୍ରାସ ପାଇବା ସହ ପକ୍ଷଭୁକ୍ତ ବ୍ୟକ୍ତିମାନଙ୍କ ସମୟ ଓ ଅର୍ଥର ସଞ୍ଚୟ ହୋଇଥାଏ।
ନ୍ୟାୟ ପ୍ରାପ୍ତି ପ୍ରକ୍ରିୟାକୁ ଅଧିକ ସରଳ, ସୁଗମ ଓ ଲୋକାଭିମୁଖୀ କରିବାରେ ଲୋକ ଅଦାଲତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଗଞ୍ଜାମ ଜିଲ୍ଲାର ଲୋକ ଅଦାଲତରେ ଆପୋଷ ସମାଧାନଯୋଗ୍ୟ ମାମଲାର ପକ୍ଷଭୁକ୍ତ ବ୍ୟକ୍ତିମାନେ ଏହି ସୁଯୋଗର ସଦୁପଯୋଗ କରି ଆପୋଷ ବୁଝାମଣା ମାଧ୍ୟମରେ ନିଜ ମାମଲାର ଶୀଘ୍ର ସମାଧାନ କରାଇବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମର ସଚିବ ବ୍ୟୋମକେଶ ନାୟକ ଅନୁରୋଧ କରିଛନ୍ତି।
