
କେନ୍ଦ୍ରର ‘ଏମଏମଡିଆର କଳା ଆଇନ’ ପ୍ରତ୍ୟାହାର ଦାବି: ରାୟଗଡ଼ାରେ ଗର୍ଜିଲା କଂଗ୍ରେସ, ବ୍ଲକ ସମ୍ମୁଖରେ ବିକ୍ଷୋଭ…
ଗଜପତି ( ଟିକି ଲିମା)
ଓଡ଼ିଶାର ପ୍ରାକୃତିକ ସମ୍ପଦ ଓ ରାଜସ୍ୱ ଲୁଟ୍ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ଵାରା ଅଣାଯାଇଥିବା ଏମଏମଡିଆର (MMDR) ସଂଶୋଧନ ଆଇନ-୨୦୨୬ ବିରୋଧରେ ରାଜ୍ୟବ୍ୟାପୀ ପ୍ରତିବାଦର ସ୍ଵର ତୀବ୍ର ହେବାରେ ଲାଗିଛି। ଏହି କ୍ରମରେ ଆଜି ରାୟଗଡ଼ ବ୍ଲକ କଂଗ୍ରେସ କମିଟି ଏବଂ ଜିଲ୍ଲା ଗଜପତି କଂଗ୍ରେସ ଆନୁକୂଲ୍ୟରେ ଏକ ବିଶାଳ ପ୍ରତିବାଦ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରାୟଗଡ଼ ଶିବମନ୍ଦିର ପରିସରରୁ ଏକ ବିରାଟ ମେଗା ପ୍ରତିବାଦ ରାଲି ବାହାରି ସହର ପରିକ୍ରମା କରିବା ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଏକ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରିଥିଲା।
ଏହି ପ୍ରତିବାଦ ସଭାରେ ଜିଲ୍ଲା ସଭାପତି ଶଙ୍କର ପ୍ରଧାନ ଏବଂ ରାଜ୍ୟ ସେକ୍ରେଟାରୀ ଜାସ୍ମିନ ସେଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଏହି ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ରାଜ୍ୟର ଖଣିଜ ସମ୍ପଦକୁ କର୍ପୋରେଟ୍ ହାତକୁ ଟେକିଦେବା ପାଇଁ ଏହା କେନ୍ଦ୍ରର ଏକ ବଡ଼ ଷଡ଼ଯନ୍ତ୍ର ବୋଲି ନେତୃବୃନ୍ଦ ଅଭିଯୋଗ କରିଛନ୍ତି। ଏହି କଳା ଆଇନ ଦ୍ଵାରା ଓଡ଼ିଶା ବିପୁଳ ପରିମାଣର ରାଜସ୍ୱ ହରାଇବ, ଯାହା ରାଜ୍ୟର ବିକାଶ ଓ ଜନସାଧାରଣଙ୍କ ସ୍ଵାର୍ଥ ବିରୋଧୀ ଅଟେ।
ଆୟୋଜିତ ଏହି ସମାବେଶରେ ଜିଲ୍ଲା ଏସିସେଲ ସଭାପତି ଏସ୍. ପାପାରାଓ ଓବିସି ସେଲ ସଭାପତି ଜନାର୍ଦ୍ଦନ ରାଓ, ରାୟଗଡ଼ ବ୍ଲକ ସଭାପତି ଶିଂନା ବେହେର ଦଳାଇ ଏବଂ ଜୋନ୍ ସଭାପତି ଅନନ୍ତ ଗୁରୁ ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନକୁ ଆଗକୁ ବଢ଼ାଇବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହା ସହିତ ୟୁଥ୍ ଲିଡର ଜିହବା ଚିଞ୍ଚାଣି ଏବଂ ଯୁବ ନେତା ମଫିଏଲ୍ ସ୍ୱାଲସିଂଙ୍କ ନେତୃତ୍ଵରେ ଶତାଧିକ ଯୁବ କଂଗ୍ରେସ କର୍ମୀ ହାତରେ ଦଳୀୟ ପତାକା ଓ ପ୍ଲାକାର୍ଡ ଧରି କେନ୍ଦ୍ର ବିଜେପି ସରକାର ବିରୋଧରେ ସ୍ଲୋଗାନ ଦେଇ ସାରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଭାଗ ପ୍ରକମ୍ପିତ କରିଥିଲେ।
ଯଦି କେନ୍ଦ୍ର ସରକାର ଏହି ଜନବିରୋଧୀ ଆଇନକୁ ତୁରନ୍ତ ପ୍ରତ୍ୟାହାର ନକରନ୍ତି, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ବ୍ଲକ ସ୍ତରରୁ ଯାଇ ସାରା ରାଜ୍ୟରେ ଏକ ବ୍ୟାପକ ଗଣ-ଆନ୍ଦୋଳନର ରୂପ ନେବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି। ଶେଷରେ ଏକ ଦାବିପତ୍ର ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।
