ନିୟମିତ ରକ୍ତଦାତା ଡଃ ନିରୋଜ କୁମାର ପୋଥାଳଙ୍କୁ ମିଥିଲାରେ ସମ୍ମାନିତ
——————————————
ବିହାରର ଦରଭଙ୍ଗା ମିଥିଲା ଅଞ୍ଚଳରେ ସୋସିଆଲ ଆକ୍ଟିଭିଷ୍ଟ ୱେଲଫେୟାର ଆସୋସିଏସନ୍ ଅଫ୍ ଭାରତ ପକ୍ଷରୁ ରାଷ୍ଟ୍ରୀୟ ରକ୍ତଦାନ ଶିବିର, ରାଷ୍ଟ୍ରୀୟ ରକ୍ତଦାତା ସମ୍ମିଳନୀ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଏହି ରାଷ୍ଟ୍ରୀୟ ସମ୍ମିଳନୀରେ ଦେଶର ବିଭିନ୍ନ ରାଜ୍ୟରୁ ନିୟମିତ ରକ୍ତଦାତାମାନେ ଯୋଗଦେଇଥିଲେ। ଏହି ଅବସରରେ ସମାଜସେବା ଓ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ରକ୍ତଦାତାମାନଙ୍କୁ ମାନପତ୍ର, ଟ୍ରଫି ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ସଭାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡଃ ଦୀପକ କୁମାର ମହାଥା ସଭାପତିତ୍ୱ କରିଥିବା ବେଳେ ରାଷ୍ଟ୍ରୀୟ ପେଟ୍ରୋନ୍ ସୁମନ କୁମାର ମହାସେଠ ମଞ୍ଚ ପରିଚାଳନା କରିଥିଲେ। ସମ୍ମାନନୀୟ ଅତିଥି ଭାବେ କ୍ୟାପଟେନ୍ ସୁରେଶ କୁମାର ସାଇନି, ଗୋପାଳ ସିଂହ ଓ ରଞ୍ଜିତ ମିଶ୍ର ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ବାରିପଦାର ନିୟମିତ ରକ୍ତଦାତା ତଥା ସମାଜସେବୀ ଡଃ ନିରୋଜ କୁମାର ପୋଥାଳଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇ ସମ୍ମାନିତ କରାଯାଇଥିଲା। ଡଃ ପୋଥାଳ ଏପର୍ଯ୍ୟନ୍ତ ୧୩୯ ଥର ରକ୍ତଦାନ କରିବା ସହିତ ବିଭିନ୍ନ ସମୟରେ ରକ୍ତଦାନ ଶିବିର ଆୟୋଜନ କରି ଅସହାୟ ଓ ଆବଶ୍ୟକତାପୂର୍ଣ୍ଣ ରୋଗୀମାନଙ୍କୁ ରକ୍ତ ଯୋଗାଇ ଆସୁଛନ୍ତି।
ରକ୍ତଦାନକୁ ଏକ ମହତ୍ ସାମାଜିକ ସେବା ଭାବେ ଗ୍ରହଣ କରି ଦୀର୍ଘଦିନ ଧରି ତାଙ୍କର ନିରନ୍ତର ସେବା ପାଇଁ ତାଙ୍କୁ ଏହି ରାଷ୍ଟ୍ରୀୟ ମଞ୍ଚରେ ସମ୍ମାନିତ କରାଯାଇଥିଲା।
ଅନ୍ୟପକ୍ଷରେ, ସମ୍ମିଳନୀ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଶେଷରେ ସର୍ବସମ୍ମତିକ୍ରମେ ଓଡ଼ିଶାର ମୁଖ୍ୟ ରାଜ୍ୟ ସଂଯୋଜକ (State Convenor) ଭାବେ ଡଃ ନିରୋଜ କୁମାର ପୋଥାଳଙ୍କୁ ନିୟୋଜିତ କରାଯାଇଥିଲା। ତାଙ୍କର ଏହି ନୂତନ ଦାୟିତ୍ୱ ପାଇଁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
