ଭିନ୍ନକ୍ଷମ ଅଧିକାର ସାମାଜିକ ଦାୟିତ୍ୱବୋଧର ପରିଚାୟକ
ବ୍ରହ୍ମପୁରରେ ଭିନ୍ନକ୍ଷମ ଅଧିକାର ସଚେତନତା ଶିବିର ଆୟୋଜିତ
ବ୍ରହ୍ମପୁର, ତା. ୦୮.୦୯.୨୦୨୬ରିଖ: ଭିନ୍ନକ୍ଷମ ଅଧିକାର ଅଧିନିୟମ, ୨୦୧୬ ସଂପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଓଡିଶା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଏବଂ ଓଡିଶା ଉଚ୍ଚତର ଶିକ୍ଷା ନିର୍ଦ୍ଦେଶାଳୟଙ୍କ ମିଳିତ ଆନୁକୁଲ୍ୟରେ, ବ୍ରହ୍ମପୁର ସ୍ଥିତ ଶଶୀଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଭିନ୍ନକ୍ଷମ ଅଧିକାର ସଚେତନତା କାର୍ଯ୍ୟକ୍ରମ ଏବଂ ଏ ସଂପର୍କିତ କୁଇଜ୍ ପ୍ରତିଯୋଗିତା ଆୟୋଜନ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ବ୍ରତତୀ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ, ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ବାରିକ, ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ନାରାୟଣ ବେହେରା, ଅଧ୍ଯକ୍ଷ, ଶଶି ଭୁଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ ,ଡାକ୍ତର ଚିତ୍ତରଞ୍ଜନ ସତପଥୀ, ପ୍ରତିଯୋଗିତା ପରିଚାଳକ ଆର.କେ. ଶର୍ମା ଏବଂ ସହଯୋଗୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ସାମିଲ୍ ଥିଲେ।
ସମାଜରେ ଭିନ୍ନକ୍ଷମମାନଙ୍କ ଅଧିକାର ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରି ସେମାନଙ୍କ ଅଧିକାରକୁ ସୁନିଶ୍ଚିତ କରିବାରେ ପ୍ରତି ନାଗରିକର ଭୂମିକା ତଥା ଦାୟିତ୍ୱ ଉପରେ ମୁଖ୍ୟ ଅତିଥି ଆଲୋଚନା କରିଥିଲେ l ଭିନ୍ନକ୍ଷମମାନଙ୍କ ପ୍ରତି ଥିବା ସାମାଜିକ ଦାୟିତ୍ୱବୋଧ ସଠିକ୍ ହୃଦୟଙ୍ଗମ କରି ସେମାନଙ୍କୁ ତାଙ୍କର ଅଧିକାର ପ୍ରଦାନ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିଲେ ଏହା ଏକ ସୁସ୍ଥ ତଥା ନ୍ୟାୟପର ସମାଜ ଗଠନ ଦିଗରେ ସହାୟକ ହୋଇପାରିବ l ଭିନ୍ନକ୍ଷମମାନେ ଯେପରି ସମାଜରେ ଅବହେଳିତ, ଲାଞ୍ଛିତ ତଥା ନ୍ୟୁନ ସାବ୍ୟସ୍ତ ନ ହୋଇ ସେମାନଙ୍କର ମୌଳିକ ଅଧିକାର ହାସଲ କରିପାରିବେ, ସେଥିପ୍ରତି ସତତ ଜାଗ୍ରତ ରହିବା ପ୍ରତ୍ୟେକ ନାଗରିକର ନୈତିକ କର୍ତ୍ତବ୍ୟ ତଥା ସାମାଜିକ ମୂଲ୍ୟବୋଧ ବୋଲି ଏହି ଅବସରରେ ସେ କହିଥିଲେ l ମୁଖ୍ୟବକ୍ତା ଭାବେ ଯୋଗଦେଇ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ନାରାୟଣ ବେହେରା କହିଲେ କି, ଭିନ୍ନକ୍ଷମ ଅଧିକାର ଅଧିନିୟମ, ୨୦୧୬ ହେଉଛି ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ଏକ ଗୁରୁତ୍ଵପୂର୍ଣ୍ଣ ଆଇନ୍, ଯାହା ପୂର୍ବର ୧୯୯୫ ମସିହାର ଆଇନ୍ କୁ ବଦଳାଇ ଲାଗୁ କରାଯାଇଛି l ପୂର୍ବ ଆଇନ୍ ରେ କେବଳ ୭ପ୍ରକାରର ଅକ୍ଷମତା ସାମିଲ୍ ଥିବା ବେଳେ, ୨୦୧୬ ଆଇନ୍ ରେ ଏହାକୁ ବୃଦ୍ଧି କରାଯାଇ ୨୧ ପ୍ରକାର କରାଯାଇଛି l ଏହି ଅଧିନିୟମ ଦ୍ୱାରା ଭିନ୍ନକ୍ଷମ ବା ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କ ଶିକ୍ଷା, ସାମାଜିକ ସୁରକ୍ଷା, ନିଯୁକ୍ତି ଓ ସ୍ୱତନ୍ତ୍ର ଯୋଜନା ତଥା ବିକାଶମୂଳକ କାର୍ଯ୍ୟକ୍ରମ ପ୍ରଭୃତି କ୍ଷେତ୍ରରେ ସୁନିଶ୍ଚିତ ଆରକ୍ଷଣର ବ୍ୟବସ୍ଥା କରାଯାଇ ବିଭିନ୍ନ ବର୍ଗ ପାଇଁ ସଂରକ୍ଷଣର ପ୍ରତିଶତକୁ ନିର୍ଦ୍ଦିଷ୍ଟ କରାଯାଇଛି l ବିଶେଷ କରି ଦିବ୍ୟାଙ୍ଗ ମହିଳା ଓ ଶିଶୁଙ୍କ ନିମନ୍ତେ ସ୍ଵତନ୍ତ୍ର ପଦକ୍ଷେପର ପ୍ରାବଧାନ କରାଯାଇ ସେମାନଙ୍କ ଅଧିକାରକୁ ସୁରକ୍ଷିତ କରାଯାଇଛି l ସମାନତା, ସୁରକ୍ଷା ଏବଂ ଆତ୍ମସମ୍ମାନପୂର୍ଣ୍ଣ ଜୀବନ ସୁନିଶ୍ଚିତ କରାଯାଇଛି l ସମାଜରେ ଭିନ୍ନକ୍ଷମମାନଙ୍କ ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରିବା ଦିଗରେ ଯୁବ ସମାଜର ଭୂମିକା ସର୍ବାଦୌ ଗୁରୁତ୍ୱପୂର୍ଣ୍ଣ l ଏହି ଉଦ୍ଦେଶ୍ୟରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ କୁଇଜ୍ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା l ଏଥିରେ ବିଭିନ୍ନ ଡିଗ୍ରୀ କଲେଜର ଛାତ୍ରଛାତ୍ରୀମାନେ ଭିନ୍ନକ୍ଷମ ଅଧିକାର ସଂପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ l ଏହି କୁଇଜ୍ ପ୍ରତିଯୋଗିତା ଭିନ୍ନକ୍ଷମ ଅଧିକାର ଦିଗରେ ବିଭିନ୍ନ ଅସମାହିତ ପ୍ରଶ୍ନର ଯଥାଯଥ ଉତ୍ତର ତଥା ନିର୍ଯ୍ୟାସ ବାହାର କରିବାରେ ସହାୟକ ହୋଇଥିଲା l ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭିନ୍ନକ୍ଷମମାନଙ୍କୁ ସରକାରୀ ଯୋଜନାର ସହଜ ସୁବିଧା ଯୋଗାଇବା ପାଇଁ ସାରା ଦେଶରେ UDID (Unique Disability ID) କାର୍ଡ ପ୍ରଦାନ କରାଯାଉଛି, ଯାହା ଏକ ଜାତୀୟ ଡାଟାବେସ୍ ଭାବେ କାର୍ଯ୍ୟ କରୁଛି l ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା l ଡ଼କ୍ଟର ରୋହିତ ପାରାଭୋଇ, ସହକାରୀ ପ୍ରାଧ୍ୟାପକ, ସ୍ନାତକୋତ୍ତର ଇଂରାଜୀ ବିଭାଗ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ଦେଇଥିବା ବେଳେ ଡ଼କ୍ଟର ପ୍ରଦୀପ କୁମାର ମିଶ୍ର, ସ୍ନାତକୋତ୍ତର ଶିକ୍ଷା ବିଭାଗ ଧନ୍ୟବାଦ ପ୍ରସ୍ତାବ ଦେବା ସହ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l
