ବନବାସୀ ଆଦିବାସୀ ମାନଙ୍କୁ -ଗାଁଆ ମୁହାଁ ହାତୀ ଠାରୁ ସୁରକ୍ଷା ସଚେତନତା…. ତା 30/08/2026 ଦିନ, କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଓ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ କେନ୍ଦୁଝର ବନଖଣ୍ଡର ମିଳିତ ଆନୁକୂଲ୍ୟରେ ଏକ ଦିବଶୀୟ ଯୁବ ନେତୃତ୍ୱ ଶିବିର, ମୈଦାନକେଲ ପଂଚାୟତର କେରି ଠାରେ ଅନୁଷ୍ଠିତ ହୋଇଯାଇଛି l କେରି ଯୁବସମାଜ ସେବୀ ବେଣୁଧର ମହାନ୍ତ ଓ କେଡ଼ି ଟ୍ରଷ୍ଟର ବିକାଶ ଅଧିକାରୀ ଭାଗିରଥି ମହାନ୍ତି ତାଲିମ ପରିଚାଳନା କରିଥିଲେ l ପରିବେଷବିତ ଗଛ ମଣିଷ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ସମ୍ବଳ ମାନବ ଭାବେ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ l ସେ କହିଲେ ଯୁବକ ମାନଙ୍କ ମଧ୍ୟରେ ପ୍ରଚଣ୍ଡ ଶକ୍ତି ଓ ଯୁବ ନେତୃତ୍ୱ ଭରି ରହିଛି l ସେହି ଯୁବ ଶକ୍ତି କୁ, ଗାଁଆ ମୁହାଁ ହାତୀ ମାନଙ୍କ ସୁରକ୍ଷା ପାଇଁ ବିନିଯୋଗ କରନ୍ତୁ l ହାତୀ ଠାରୁ 20ମିଟର ଦୁରେଇ ରହିବା ସହ ହାତୀ ସହ ଭିଡିଓ ନକରିବାକୁ ବୁଝାଇ ଥିଲେ l ହାତୀ ବୋବାଇବା, ତାର କୁଲା ଭଳି କାନକୁ ସ୍ଥିର ରଖିବା, ଶୁଣ୍ଢକୁ ତାର ଛାତି ଭିତରେ ପୁରେଇରଖିବା, ଆଗ ଗୋଡ଼ରେ ମାଟିକୁ ଆମ୍ପୁଡିବା ର ଲକ୍ଷଣ ଦେଖିଲେ,ଅଧଘଣ୍ଟା ମଧ୍ୟ୍ୟରେ ହାତୀ ଆକ୍ରମଣ କରିଥାଏ l ହାତୀ ପଲକୁ ଚାରିପଟେ ଘେରି ନରହି, ଯିବା ପାଇଁ ରାସ୍ତା ଛାଡି ଦେବାକୁ ବୁଝାଇଥିଲେ l ହାତୀପଲ ଗାଁଆ ଜଙ୍ଗଲକୁ ଆସିଲେ, ତୁରନ୍ତ ବନରଖି, ବନପାଳ, ବନାଞ୍ଚଳ ଅଧିକାରୀ ଓ ଗଜସାଥି ମାନଂକୁ ତୁରନ୍ତ ଖବର ଦେବାକୁ ପରାମର୍ଶ ଦେଇଥିଲେ l ଅନ୍ଧାର ରାତିରେ ଦଳ ଦଳ ଯୁବକ ଏକାଠିହୋଇ ମଟର ସାଇକେଲ ଯୋଗେ ହାତୀ ଖେଦିବାକୁ ଖିରେଇ ଟାଙ୍ଗିରି ଦୁଧିଆନାଳ ଜଙ୍ଗଲକୁଯାଇ, ହାତୀ ହାବୁଡ଼ରେ, ବଡ଼ପସୀର 30ବର୍ଷ ଯୁବକ ନବଘନ ନାୟକ ପଡିଲା l ଅକାଳରେ ଦୃଲଭ ଜୀବନ ଚାଲି ଗଲା l ଶାନ୍ତ ହାତୀକୁ, ଅଶାନ୍ତ କରନ୍ତୁ ନାହିଁ l ଅନ୍ଧାର ରାତିରେ ବିନା ଆଲୋକରେ ଯାତାୟାତ ନ କରିବାକୁ ବୁଝାଇଥିଲେ l ହାତୀ ଦ୍ୱାରା କ୍ଷତି ଗ୍ରସ୍ତ ପରିବାରକୁ ଅନୁକମ୍ପା ସହାୟତା ବନ ବିଭାଗ ଦେବାର ପ୍ରକ୍ରିୟାର କୌଶଳ ଜଣାଇଥିଲେ l ଶେଷରେ “ମନୁଷ୍ୟ -ହାତୀ ସହାବସ୍ଥାନ ମାର୍ଗଦର୍ଶିକା ବଣ୍ଟନ କରଯାଇଥିଲା l କେରି, ସଠିଆପଡା, ବଡ଼ପଶି, ମୈଦାନକେଲ ଗ୍ରାମରୁ 42 ଜଣ ଯୁବକ ତାଲିମରେ ଅଂଶ ଗ୍ରହଣ କରିଥିଲେ l
