୩ ମାସ ପରେ ସୋର ଥାନା କୁ ମିଳିଲା ନୂତନ ଥାନା ଅଧିକାରୀ: ଅନୁରାଗ ମହାନ୍ତି ହେଲେ ନୂତନ ଆଇ ଆଇ ସି
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ସୋର ଥାନାରେ ନୂତନ ଆଇଆଇସି ଭାବେ ଅନୁରାଗ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ଆଜି ବିଧିବଦ୍ଧ ଭାବେ ସେ ଥାନାରେ ଆସି ଯୋଗ ଦାନ କରିଛନ୍ତି।ଦୀର୍ଘ ୩ ମାସ ଧରି ସୋର ଥାନାର ଆଇଆଇସି ପଦ ଖାଲି ରହିଥିବାବେଳେ ତାଙ୍କ ନିଯୁକ୍ତି ସହ ଏହି ପଦ ପୂରଣ ହୋଇଛି। ସୂଚନାନୁସାରେ, ପ୍ରାୟ ୩ ମାସ ଧରି ସୋର ଥାନାରେ ନିୟମିତ ଆଇଆଇସି ନଥିଲେ। ଏହି ସମୟ ମଧ୍ୟରେ ସିମୁଳିଆ ଥାନାର ଆଇଆଇସି ଦେବରାଜ ଜେନାଙ୍କୁ ସୋର ଥାନାର ଦାୟିତ୍ବ ଦିଆଯାଇଥିଲା। ସେ ପ୍ରାୟ ଏକ ମାସ ଦାୟିତ୍ବ ତୁଲାଇବା ପରେ ପୁଣି ସିମୁଳିଆ ଥାନାକୁ ବଦଳି ହୋଇ ଫେରିଥିଲେ। ଏହାପରେ ସୋର ଥାନାର ଆଇଆଇସି ପଦ ଖାଲି ରହିଥିଲା। ଇତି ମଧ୍ୟରେ ଅନୁରାଗ ମହାନ୍ତିଙ୍କୁ ସୋର ଥାନାର ନୂତନ ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି। ସେ ପୂର୍ବରୁ ଖନ୍ତାପଡ଼ା ଥାନାରେ ଆଇଆଇସି ଭାବେ କାର୍ଯ୍ୟରତ ଥିଲେ। ସୋର ଏକ ପ୍ରମୁଖ ବ୍ୟାବସାୟିକ ସହର ହୋଇଥିବାରୁ ଏଠାରେ ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ନୂତନ ଆଇଆଇସିଙ୍କ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ରହିବ। ‘ସୋର ସହରକୁ କ୍ରାଇମ ଫ୍ରି ସହର କରିବାକୁ ସେ ନିଜ ପ୍ରତିକ୍ରିୟାରେ ସୋରବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି। ନୂତନ ଆଇଆଇସିଙ୍କ ନିଯୁକ୍ତି ପରେ ସୋର ଥାନାରେ ଆଇନଶୃଙ୍ଖଳା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।
