କାହ୍ନୁ ଚରଣ ପାତ୍ରଙ୍କ ଜନ୍ମଦିନରେ ରକ୍ତଦାନ ଶିବିର, ସଂଗୃହୀତ ହେଲା ୪୦ରୁ ଊର୍ଦ୍ଧ୍ୱ ୟୁନିଟ୍ ରକ୍ତ
ବ୍ରହ୍ମପୁର, ୩୧/୦୮/୨୦୨୬: ବ୍ରହ୍ମପୁର କାଳୁପାତ୍ର ସାହିସ୍ଥିତ ଓମ୍ ଶ୍ରୀ ଇନଷ୍ଟିଚ୍ୟୁଟ୍ ପରିସରରେ ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ଼ ସେବା ସମବାୟ ସମିତିର ସଭାପତି କାହ୍ନୁ ଚରଣ ପାତ୍ରଙ୍କ ଜନ୍ମଦିନ ଅବସରରେ ପ୍ରତିବର୍ଷ ଭଳି ଏହିବର୍ଷ ମଧ୍ୟ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।
ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ସମାଜସେବୀମାନଙ୍କ ସହଯୋଗରେ ଶିବିରରୁ ୪୦ରୁ ଊର୍ଦ୍ଧ୍ୱ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା ଦୀପ ପ୍ରଜ୍ୱଳନ କରି ଶିବିରର ଶୁଭାରମ୍ଭ କରିଥିଲେ।
କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବି.ଇ.ଓ. ଶଙ୍କର ନାରାୟଣ ବେଜ, ଲୋଚାପଡ଼ା ସମିତି ସଭ୍ୟ ଚଣ୍ଡୀ ଚରଣ ସାହୁ, ପୂର୍ବତନ ସରପଞ୍ଚ ନରସିଂହ ସାହୁ, ବାଳକୃଷ୍ଣପୁର ପ୍ରଧାନ ଶିକ୍ଷୟିତ୍ରୀ ଶଶିରେଖା ମଲ୍ଲିକ, ସି.ଆର୍.ସି.ସି. ବିଶ୍ୱ ରଞ୍ଜନ ରଥ ପ୍ରମୁଖ ଯୋଗଦେଇଥିଲେ।
ଅତିଥିମାନେ ରକ୍ତଦାନର ଗୁରୁତ୍ୱ ଓ ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରି ସମାଜରେ ରକ୍ତଦାନ ପ୍ରତି ଅଧିକ ସଚେତନତା ସୃଷ୍ଟି ପାଇଁ ଆହ୍ୱାନ ଦେଇଥିଲେ। ରକ୍ତର ଅଭାବ ଦୂର କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିବିରରେ ଏମ.କେ.ସି.ଜି ରକ୍ତ ଭଣ୍ଡାରର କର୍ମକର୍ତ୍ତାଙ୍କ ସହ ପୁରାତନ ଛାତ୍ର ଶୁଭମ ପାଇକ, ଶିବ ଶଙ୍କର ନାୟକ, ଶିବ ରାମ ରେଡ୍ଡୀ, , ସୁଶିଲ ସାହୁ, ନିଖିଲ କୁମାର ଜେନା ,ସତ୍ୟମ ମହାନ୍ତି , ଜାଗୃତି ଗୌଡ଼, , ଶୁଭଶ୍ରୀ ମହାନ୍ତି, ଅର୍ପିତା ଜେନା, ଅଞ୍ଜନା ମହାରଣା, ପ୍ରମୁଖ ସହଯୋଗ କରିଥିଲେ।
ଏହି ଅବସରରେ କାହ୍ନୁ ଚରଣ ପାତ୍ର ସମସ୍ତ ଛାତ୍ର ଛାତ୍ରୀ, ସହଯୋଗୀ ଓ ରକ୍ତଦାତାଙ୍କୁ କୃତଜ୍ଞତା ଜଣାଇଥିଲେ। କାହ୍ନୁ ଚରଣ ପାତ୍ର ଜଣେ ନିଷ୍ଠାବାନ, ସମର୍ପିତ ଓ ମାନବିକତାସମ୍ପନ୍ନ ସମାଜସେବୀ ଭାବେ ପରିଚିତ।
ସମାଜର ଦୁର୍ବଳ ଓ ଆବଶ୍ୟକତାରେ ଥିବା ଲୋକଙ୍କ ସହାୟତା ପାଇଁ ସେ ସର୍ବଦା ଆଗେଇ ଆସନ୍ତି।
ରକ୍ତଦାନ ଭଳି ମହତ୍ କାର୍ଯ୍ୟ ମାଧ୍ୟମରେ ସେ ମାନବସେବାର ଏକ ଉତ୍ତମ ଉଦାହରଣ ଦେଇଛନ୍ତି।
ବୃକ୍ଷରୋପଣ ଓ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଶରୀରଦାନ ଭଳି ପଦକ୍ଷେପ ତାଙ୍କର ମାନବିକତା ଓ ସମାଜ ପ୍ରତି ଦାୟିତ୍ୱବୋଧକୁ ପ୍ରକାଶ କରେ।
ତାଙ୍କର ଏହି ସମାଜସେବାମୂଳକ କାର୍ଯ୍ୟ ଯୁବପିଢ଼ି ଓ ସମାଜର ଅନ୍ୟମାନଙ୍କୁ ଜନହିତରେ ଆଗେଇ ଆସିବାକୁ ପ୍ରେରଣା ଦେଉଛି। ଛାତ୍ରଛାତ୍ରୀମାନେ କାହ୍ନୁ ଚରଣ ପାତ୍ରଙ୍କ ଜନ୍ମଦିନ ଅବସରରେ ତାଙ୍କୁ ହୃଦୟରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ତାଙ୍କର ସୁସ୍ଥ, ଦୀର୍ଘ ଓ ସୁଖମୟ ଜୀବନ କାମନା କରିବା ସହ ଆଗାମୀ ଦିନରେ ମଧ୍ୟ ସମାଜସେବା ଜାରି ରଖିବାକୁ ଶୁଭକାମନା ଜଣାଇଥିଲେ।
