କଲ୍ୟାଣସିଂପୁର ବ୍ଲକ ସଦରମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନିପ୍ର)
ରାୟଗଡ / କଲ୍ୟାଣସିଂପୁର ୩୧.୦୮.୨୦୨୬:
ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ କଲ୍ୟାଣସିଂପୁର ବ୍ଲକ ସଦର ମହକୁମାସ୍ଥିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ ପ୍ରସାଦ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପ ଜିଲ୍ଲାପାଳ ରାୟଗଡ ଶ୍ରୀ ରମେଶ କୁମାର ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ବିଶ୍ୱମ୍ବର କୁମାର ବେହେରା, ପ୍ରକଳ୍ପ ପ୍ରଶାସକ ତଥା ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ l
ଆଜି ମୋଟ ୬୩ଟି ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିଥିଲେ। ସେଥିମଧ୍ୟରୁ ୪୯ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୪ଟି ଗ୍ରାମବାସୀଙ୍କର ସାମୂହିକ ଅଭିଯୋଗ ଥିଲା। ଏହି ଶିବିରରେ ବିଭିନ୍ନ ସମସ୍ୟା ସମ୍ବଳିତ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସମସ୍ତ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ନିମନ୍ତେ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଏହି ଅଭିଯୋଗ ଶିବିରରେ ତହସିଲଦାର, କଲ୍ୟାଣସିଂପୁର ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
