*ନୂଆପଡ଼ାରେ କୁଷ୍ଠ ରୋଗ ଚିହ୍ନଟ ଅଭିଯାନର ସମୀକ୍ଷା,୨୭ ଅଗଷ୍ଟ ସୁଦ୍ଧା ୪୬ ଜଣ ଚିହ୍ନଟ, ୩୧ ପର୍ଯ୍ୟନ୍ତ ଚାଲିବ ଅଭିଯାନ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୩୦/୦୮:
ନୂଆପଡ଼ା ଜିଲ୍ଲାରେ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ (NLEP) ଅନ୍ତର୍ଗତ ଚାଲିଥିବା କୁଷ୍ଠ ରୋଗ ଚିହ୍ନଟ ଅଭିଯାନର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିl
ଅଗଷ୍ଟ ୨୭ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ ୪୬ ଜଣ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩ ଜଣ ପିବି (PB) ଏବଂ ୨ ଜଣ ଏମ୍ବି (MB) ବର୍ଗର ବୟସ୍କଙ୍କଠାରେ କୁଷ୍ଠ ରୋଗ ନିଶ୍ଚିତ ହୋଇଛି। ଚିହ୍ନଟ ହେଉଥିବା ସନ୍ଦିଗ୍ଧ କୁଷ୍ଠ ରୋଗୀଙ୍କ ଯାଞ୍ଚ ଓ ରୋଗ ନିଶ୍ଚିତକରଣ ମେଡିକାଲ ଅଫିସର ଏବଂ ଜିଲ୍ଲା NLEP ଟିମ୍ ଦ୍ୱାରା କରାଯାଉଛି। କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ଆସନ୍ତା ୩୧ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ। ଅଭିଯାନ ଅବଧିରେ ସନ୍ଦିଗ୍ଧ ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରି ରୋଗ ନିଶ୍ଚିତକରଣ ସହ ଆବଶ୍ୟକ ଚିକିତ୍ସା ଯୋଗାଇଦେବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।ସମସ୍ତ ସ୍ୱାସ୍ଥ୍ୟ ଅଧୀକ୍ଷକଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରରେ ମେଡିକାଲ ଅଫିସରଙ୍କ ଦ୍ୱାରା ସନ୍ଦିଗ୍ଧ ରୋଗୀଙ୍କ ରୋଗ ନିଶ୍ଚିତକରଣ, ଆଶା କର୍ମୀଙ୍କ ଦ୍ୱାରା ସନ୍ଦିଗ୍ଧ ରୋଗୀଙ୍କୁ ସମୟୋଚିତ ରେଫର କରିବା ଏବଂ ହେଲଥ୍ ସୁପରଭାଇଜରଙ୍କ ଦ୍ୱାରା ନିୟମିତ ତଦାରଖ ଓ ନିରୀକ୍ଷଣ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ବୈଠକରେ ଜିଲ୍ଲା କୁଷ୍ଠ ପରାମର୍ଶଦାତା ଡା. ଅନିତା ସାହୁ NLEPର ଅଗ୍ରଗତି ଓ କାର୍ଯ୍ୟକ୍ରମର ସ୍ଥିତି ସମ୍ପର୍କରେ ଉପସ୍ଥାପନା କରିଥିଲେ।ଭାରପ୍ରାପ୍ତ CDMO ଡା. ଦ୍ୱାରିକାନାଥ ଶତପଥୀ, ADPHO (କୁଷ୍ଠ) ଡା. ତନ୍ମୟ ତ୍ରିପାଠୀ, ADPHO (TB) ଡା. ଦିଲୀପ ଦାସ, ADPHO (FW) ଡା. ଜ୍ୟୋତିର୍ମୟୀ ସୁବେନ୍ଦୁ ଦାସ, ADPHO (DC) ଡା. ମଞ୍ଜୁରାଣୀଙ୍କ ସମେତ ବିଭିନ୍ନ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।
