କେସିଙ୍ଗା କୋଣାର୍କ ସ୍ପିନିଂ ମିଲ୍ ପୁନଃଚାଲୁ ହେଲେ ୫,୦୦୦ ଲୋକଙ୍କୁ ମିଳିବ ରୋଜଗାର
(ଲାୟନ୍ର ରମେଶ ଅଗ୍ରୱାଲ.:ନିପ୍ର)
ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାର କେସିଙ୍ଗାଠାରେ ଅବସ୍ଥିତ କୋଣାର୍କ ସ୍ପିନିଂ ମିଲ୍କୁ ପୁନଃଚାଲୁ କରିବା ଦାବିରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ମାଧ୍ୟମରେ ଏହି ସ୍ମାରକପତ୍ର ଦିଆଯାଇଛି।
ମାର୍ଚ୍ଚ ୩୦ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ଓ ଜିଲ୍ଲାର ବିକାଶ ସମ୍ପର୍କିତ ତାଙ୍କ ଉଦ୍ବୋଧନ କଳାହାଣ୍ଡିବାସୀଙ୍କ ମନରେ ନୂଆ ଆଶା ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ କେସିଙ୍ଗା କୋଣାର୍କ ସ୍ପିନିଂ ମିଲ୍ର ପୁନରୁଦ୍ଧାର କଳାହାଣ୍ଡିର କୃଷିଭିତ୍ତିକ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିପାରିବ।
୧୯୯୦ ମସିହାରେ ପ୍ରାୟ ୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ସ୍ପିନିଂ ମିଲ୍ ପ୍ରକଳ୍ପ ଆରମ୍ଭ ହୋଇଥିଲା। ୧୯୯୩ ସୁଦ୍ଧା ମିଲ୍ର ମୁଖ୍ୟ କୋଠା ଓ ପ୍ରାୟ ୧ ଲକ୍ଷ ବର୍ଗଫୁଟ୍ର ମେସିନ୍ ହଲ୍ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା। ପ୍ରାୟ ୫୦ ଏକର ଜମିରେ ଥିବା ଏହି ପ୍ରକଳ୍ପ ଦୀର୍ଘଦିନ ଧରି ଅବ୍ୟବହୃତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।
କଳାହାଣ୍ଡି ଅଞ୍ଚଳରେ କପା ଉତ୍ପାଦନ ବର୍ତ୍ତମାନ ପ୍ରାୟ ୫ରୁ ୭ ଲକ୍ଷ କୁଇଣ୍ଟାଲ୍ରେ ପହଞ୍ଚିଛି। ଉଚ୍ଚମାନର କପା ଉତ୍ପାଦନ ସହ ପର୍ଯ୍ୟାପ୍ତ କଞ୍ଚାମାଲ ଉପଲବ୍ଧ ଥିବାରୁ ଏଠାରେ ସ୍ପିନିଂ ମିଲ୍ ପୁନଃଚାଲୁ କରିବାର ବିପୁଳ ସମ୍ଭାବନା ରହିଛି। ବର୍ତ୍ତମାନ ମିଲ୍ ପରିସରରେ ଚାଲୁଥିବା ଜିନିଂ ମିଲ୍ ମାଧ୍ୟମରେ ପ୍ରାୟ ୩୦୦ ଜଣଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ମିଳୁଛି।
ସ୍ପିନିଂ ମିଲ୍ ପୁନଃଚାଲୁ ହେଲେ ପ୍ରାୟ ୫,୦୦୦ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ସୃଷ୍ଟି ହେବା ସହ କଳାହାଣ୍ଡିର ଗ୍ରାମୀଣ ଅର୍ଥନୀତିରେ ବଡ଼ ପରିବର୍ତ୍ତନ ଆସିପାରିବ। କପାରୁ ସୂତା, ସୂତାରୁ କପଡ଼ା, କପା ମଞ୍ଜିରୁ ତେଲ ଏବଂ ଅବଶିଷ୍ଟରୁ ପଶୁଖାଦ୍ୟ ପ୍ରସ୍ତୁତି ଭଳି ଶିଳ୍ପ ଗଢ଼ିଉଠିବାର ସୁଯୋଗ ରହିଛି। ଏହା ଚାଷୀଙ୍କ ଆୟ ବୃଦ୍ଧି ସହ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ରୋଜଗାର ସୃଷ୍ଟି କରିବ।
ଧର୍ମଗଡ଼ର ମାନ୍ୟବର ବିଧାୟକ ତଥା କଳାହାଣ୍ଡି ଡିପିସି ଅଧ୍ୟକ୍ଷ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଷୀ ମଧ୍ୟ ପୂର୍ବରୁ ବିଧାନସଭାରେ ଷ୍ଟାର୍ ପ୍ରଶ୍ନ ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି।
ଓଡ଼ିଶାକୁ ଏକ ସମନ୍ୱିତ ବୟନ ଓ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ଦିଗରେ ରାଜ୍ୟ ସରକାରଙ୍କ ପ୍ରୟାସକୁ ଆହୁରି ଗତିଶୀଳ କରିବା ସହ କଳାହାଣ୍ଡିର ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ କୋଣାର୍କ ସ୍ପିନିଂ ମିଲ୍କୁ ଶୀଘ୍ର ପୁନଃଚାଲୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ଼ ଦାବି କରାଯାଇଛି।
#KonarkSpinningMill #Kesinga #Kalahandi #CMOOdisha #MohanCharanMajhi #PradeepBalSamanta #SudhirRanjanPattjoshi #OdishaTextile #Employment #RuralEconomy
