*ଖଡ଼ିଆଳ ଉପଖଣ୍ଡ ଡାକ୍ତରଖାନାରେ ଅସ୍ୱାସ୍ଥ୍ୟକର ପରିବେଶ: ଉଛୁଳୁଛି ସେପ୍ଟିକ୍ ଟାଙ୍କି, ଦୁର୍ଗନ୍ଧରେ ହନ୍ତସନ୍ତ ରୋଗୀ ଓ ସମ୍ପର୍କୀୟ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୨୮/୦୮:
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଚରମ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଡାକ୍ତରଖାନା ପରିସରରେ ଥିବା ସେପ୍ଟିକ୍ ଟାଙ୍କି ଭର୍ତ୍ତି ହୋଇ ଦୂଷିତ ପାଣି ବାହାରକୁ ଉଛୁଳିବା ସହ ଚାରିଆଡ଼େ ମଇଳା ପାଣି ଭାସୁଛି। ଏହା ଯୋଗୁଁ ସମଗ୍ର ହସ୍ପିଟାଲ ପରିସରରେ ଅସହ୍ୟ ଦୁର୍ଗନ୍ଧ ବ୍ୟାପି ରହିଛି, ଯାହା ଫଳରେ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଚିକିତ୍ସାଳୟ ପରିସର ଓ ବାହାରେ ଏଭଳି ଦୁର୍ଗନ୍ଧ ହେଉଛି ଯେ ସେଠାରେ ଛିଡ଼ା ହେବା ମଧ୍ୟ ଅସମ୍ଭବ ହୋଇପଡ଼ିଛି। ସ୍ୱାସ୍ଥ୍ୟସେବା ପାଇବାକୁ ଆସିଥିବା ଲୋକେ ଏହି ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଅନ୍ୟ ସଂକ୍ରମଣ ବ୍ୟାପିବାର ଆଶଙ୍କା କରୁଛନ୍ତି।
ପ୍ରମୁଖ ସମସ୍ୟା:
ସେପ୍ଟିକ୍ ଟାଙ୍କି ପାଣି ଉଛୁଳି ଡାକ୍ତରଖାନା ବାରଣ୍ଡା ଓ ବାହାର ପରିସରରେ ଜମି ରହିବା।
ଦୁର୍ଗନ୍ଧ ଯୋଗୁଁ ୱାର୍ଡ ଭିତରେ ରୋଗୀ ଓ ବାହାରେ ଅପେକ୍ଷା କରୁଥିବା ଲୋକଙ୍କ ନିଶ୍ୱାସ ନେବା କଷ୍ଟକର ହେବା।ସ୍ୱଚ୍ଛତା ଅଭାବରୁ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାର ଭୟ।
ଏଭଳି ସମ୍ବେଦନଶୀଳ ସମସ୍ୟା ଉପରେ ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସେପ୍ଟିକ୍ ଟାଙ୍କି ସଫା କରିବା ସହ ସ୍ଥାୟୀ ସମାଧାନ କରିବାକୁ ସ୍ଥାନୀୟ ବାସିନ୍ଦା ଏବଂ ରୋଗୀଙ୍କ ସମ୍ପର୍କୀୟ ଦୃଢ଼ ଦାବି କରିଛନ୍ତି।
