ରିପୋର୍ଟ ମନୋଜ ରାଉତ, ଅନୁଗୋଳ ତାଳଚେର,
ରାହୁଲ ପ୍ରଧାନଙ୍କ ଅକାଳ ବିୟୋଗରେ ଶୋକ, ୪ ଲକ୍ଷ ଟଙ୍କା ସହାୟତା ଘୋଷଣା
ତାଳଚେର: ୨୬.୮.୨୬(ନିପ୍ର) ତାଳଚେର ବ୍ଲକ ଅନ୍ତର୍ଗତ ସାନସିଂହଡ଼ା ଗ୍ରାମର ଶ୍ରୀ ଗୋବିନ୍ଦ ପ୍ରଧାନଙ୍କ ପୁତ୍ର ରାହୁଲ ପ୍ରଧାନଙ୍କ ଏକ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି। ପାଳଲହଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖମାର ଅଞ୍ଚଳର ସୁଲିଆ ବଜାର ଛକ ନିକଟରେ ଏକ ଲୁହା ବୋଝେଇ ଟ୍ରକର ବେପରୁଆ ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାହୁଲଙ୍କ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।
ବିଧାୟକଙ୍କ ଅବଗତି ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ଦୁଃଖଦ ଘଟଣାରେ ଶୋକ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।
ଏହାସହ ଖମାର ଅଞ୍ଚଳର ଲୋକଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ବିଧାୟକ ଅନୁଗୋଳ ଜିଲ୍ଲାପାଳଙ୍କୁ ଅବଗତ କରାଇ କଣ୍ଟିଆପଶିଠାରୁ ରେଳଧାରଣା ଦେଇ ପାଳଲହଡ଼ା ପର୍ଯ୍ୟନ୍ତ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଜିଲ୍ଲାପାଳ ଅନୁମୋଦନ କରିଥିବା ଜଣାପଡ଼ିଛି।
ରାହୁଲଙ୍କ ଅକାଳ ବିୟୋଗରେ ପରିବାର ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସେହିପରି, ବାଇପାସ୍ ରାସ୍ତା ନିର୍ମାଣ ପ୍ରସ୍ତାବ ଅନୁମୋଦନ ହେବା ଦ୍ୱାରା ଆଗାମୀ ଦିନରେ ଖମାର ଅଞ୍ଚଳବାସୀଙ୍କ ଯାତାୟାତ ସମସ୍ୟା ଦୂର ହେବା ସହ ଦୁର୍ଘଟଣା ରୋକିବାରେ ମଧ୍ୟ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।
