ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଲା କୂଅ: ଯାତାୟାତ ଠପ୍ (ନିପ୍ର ଗୋକୁଳାନନ୍ଦ ବେହେରା)ଢ଼େଙ୍କାନାଳ ପରଜଙ୍ଗ ବ୍ଳକ୍ ମୁକ୍ତାପଶି ଗାଁ ଅନୁସୂଚିତ ଜାତି ସାହି ନିକଟରେ ରାସ୍ତାକୁ ଲାଗି ରହିଥିବା ଏକ କୂଅ ଗତ ରାତିରେ ଭୁଶୁଡ଼ି ପଡ଼ିଛି। କୂଅରେ ପାଣି ଭର୍ତ୍ତି ହୋଇ ଭୂମି ପତନର ରହିଥିବା ବେଳେ ସେହି ରାସ୍ତାରେ ଯତାୟାତ ଠପ୍ ହୋଇଯାଇଛି। ସୁରକ୍ଷା ଦୃଷ୍ଟିରୁ ଲୋକେ ବାଉଁଶ ବାନ୍ଧି ରାସ୍ତାକୁ ବନ୍ଦ କରି ଦେଇଛନ୍ତି। ସୂଚନା ଅନୁଯାୟୀ,ମୁକ୍ତାପଶି ଗାଁର ଅନୁସୂଚିତ ଜାତି ସାହି ନିକଟରେ ରାସ୍ତା ଉପରେ ଏକ ବହୁ ପୁରା ପୁରାତନ କୂଅ ରହିଥିଲା। ଯାହାର ଗଭୀରତା ପ୍ରାୟ ୪୦ ୪୦ଫୁଟ୍ ବୋଲି ଜଣଯାଇଛି। ପୂର୍ବରୁ ଏହି କୂଅ ପାଣିକୁ ଲୋକେ ବ୍ୟବହାର କରି ଆସୁଥିଲେ। ପାଇପ୍ ଯୋଗେ ଜଳ ଯୋଗାଣ ହେବା ପରେ କୂଅଟି ପରିତ୍ୟକ୍ତ ହୋଇପଡ଼ିଥିଲା। ଛେଲପଥରରେ ନିର୍ମିତ କୂଅ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଦୁର୍ବଳ ହୋଇ ରହିଥିଲା। ଲଗାଣ ବର୍ଷା ଯୋଗୁଁ କୂଅରେ ପାଣି ଭର୍ତ୍ତି ହୋଇ ଭୂମି ପତନରେ ରହିଛି। ଗତ ରାତିରେ ହଠାତ୍ ଜୋରରେ ଶବ୍ଦ ହୋଇଥିଲା। ସାହିଲୋକେ ଉଠି ଭୟରେ ପଦାକୁ ଆସି କୂଅଟି ଭୁଶୁଡ଼ି ଭିତରକୁ ପଶି ଯାଇଥିବା ଦେଖି ଥିଲେ। ସୌଭାଗ୍ୟ ବଶତଃ ରାତିରେ କୂଅ ଭୁଶୁଡ଼ି ଥିବାରୁ ଲୋକଙ୍କର କୌଣସି କ୍ଷତି ହୋଇନାହିଁ। ଦିନ ସମୟରେ ସାହି ଲୋକମାନେ କୂଅ ଚାନ୍ଦିନୀରେ ବସୁଥିବା ବେଳେ ରାତିରେ ଏଭଳି ଘଟଣା ଘଟିଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କୂଅର ଢାଞ୍ଚା ଭିତରକୁ ଭୁଶୁଡ଼ି ପଡ଼ିଥିବ ବେଳେ ପାଣି ଭୂମିପତନରେ ରହିଛି। ଲୋକେ ସେଥିରେ ଖସି ପଡ଼ିବାର ଆଶଙ୍କା ରହିଥିବାରୁ ଲୋକେ ବାଉଁଶ ବାନ୍ଧି ଗସ୍ତାକୁ ବନ୍ଦ କରି ଦେଇଛନ୍ତି। ଯାହାଫଳରେ ମୁକ୍ତାପଶି ଗାଁର ତଳସାହିରୁ କୁମ୍ଭାରସାହି ଏବଂ ମଙ୍ଗଳା ମନ୍ଦିରରୁ ତ୍ରିକୁଟି ଛକ ପର୍ଯ୍ୟନ୍ତ ରାସ୍ତାରେ ଯତାୟାତ ବନ୍ଦ ରହିଛି। ପ୍ରଶାସନ ତୁରନ୍ତ କୂଅକୁ ପୋତି ରାସ୍ତା ସମତୁଲ କରିବାକୁ ସାହିବାସୀ ଦାବି କରିଛନ୍ତି।
