*ନୂଆପଡ଼ାରେ ଜିଲ୍ଲା ଉନ୍ନୟନ ସମିତି ବୈଠକ; ଉନ୍ନୟନ ପ୍ରକଳ୍ପର ତ୍ୱରିତ ରୂପାୟଣ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୨୫/୦୮:
ନୂଆପଡ଼ା ଜିଲ୍ଲାର ସାମଗ୍ରିକ ଉନ୍ନୟନକୁ ତ୍ୱରାନ୍ୱିତ କରିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମିତି (ଡିଡିସି) ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଡିଏଫଓ (ପ୍ରାନ୍ତୀୟ) ଅଜିଜ୍ ଖାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାୟକ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, ଏପିଡି କ୍ଷମାନିଧି ଭୋଇଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।ଉପ-ନିର୍ଦ୍ଦେଶକ (ପରିସଂଖ୍ୟାନ) ଦିଲେଶ୍ୱର ଧରୁଆ ପୂର୍ବ ବୈଠକର କାର୍ଯ୍ୟବିବରଣୀ ଓ ଅନୁପାଳନ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ। ପରେ ଜିଲ୍ଲାପାଳ ବିଭିନ୍ନ ବିଭାଗର ଯୋଜନା ଓ ପ୍ରକଳ୍ପର ଅଗ୍ରଗତି, ସମସ୍ୟା ଏବଂ ତାହାର ସମାଧାନ ସମ୍ପର୍କରେ ବିଭାଗୱାରୀ ସମୀକ୍ଷା କରିଥିଲେ।
ନୂଆପଡ଼ା ଏନ୍ଏସିକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ସହରାଞ୍ଚଳ ସଂସ୍ଥା (Best Performing ULB) ଭାବେ ଚୟନ କରାଯାଇ ୨ କୋଟି ଟଙ୍କାର ନଗଦ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ଜିଲ୍ଲାପାଳ ଏନ୍ଏସି କର୍ତ୍ତୃପକ୍ଷଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ସଫଳତାକୁ ଜିଲ୍ଲାର ସହରାଞ୍ଚଳ ବିକାଶ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଉପଲବ୍ଧି ଭାବେ ଅଭିହିତ କରି ଭବିଷ୍ୟତରେ ମଧ୍ୟ ଉତ୍ତମ ପ୍ରଦର୍ଶନ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ।
ବୈଠକରେ ଓଏସ୍ୱାସ୍ (OSWAS)ର କାର୍ଯ୍ୟଦକ୍ଷତା ମଧ୍ୟ ସମୀକ୍ଷା କରାଯାଇଥିଲା। ଓଏସ୍ୱାସ୍ରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଶ୍ରେଷ୍ଠ ୫ଟି ବିଭାଗ/କାର୍ଯ୍ୟାଳୟକୁ ସମ୍ମାନିତ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ।
ଜିଲ୍ଲାର ପର୍ଯ୍ୟଟନ ଓ ମୌଳିକ ଭିତ୍ତିଭୂମି ବିକାଶ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ସାଲିହାଗଡ଼ର ବିକାଶ ପାଇଁ ଡିପିଆର୍ (Detailed Project Report) ପ୍ରସ୍ତୁତ କରିବାକୁ ଆର୍ ଆଣ୍ଡ୍ ବି ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉନ୍ନୟନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସମାପ୍ତ କରିବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ଉତ୍ସର୍ଗୀକୃତ ମନୋଭାବରେ କାର୍ଯ୍ୟ କରି ଜିଲ୍ଲାକୁ ଦ୍ରୁତ ଉନ୍ନୟନର ପଥରେ ଆଗେଇ ନେବାକୁ ସେ ଆହ୍ୱାନ ଦେଇଥିଲେ।ଏହି ଅବସରରେ ଗ୍ରାମୋଦୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଗ୍ରାମାଞ୍ଚଳରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ମୌଳିକ ସୁବିଧା ଓ ସରକାରୀ ଯୋଜନାର ରୂପାୟଣ ସମ୍ପର୍କରେ ଆଲୋଚନା କରାଯାଇଥିଲା।
