
ସାରସକଣା/ଜାମଶଳା (ଅନିଲ କୁମାର ସାହୁ) : ଜିଦ୍ ଝାଡ଼ିଲେନି ଓ ଏ ଏସ ସଂଘ। ଶେଷରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଆତ୍ମସମର୍ପଣ କଲେ ଓ ଗିରଫ ହେଲେ। ଭୁବନେଶ୍ବର ମହାନଗର ନିଗମ (ବି ଏମ୍ ସି) ର ଅତିରିକ୍ତ କମିଶନର ରତ୍ନାକର ସାହୁ ଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଭାବେ ଜଗନ୍ନାଥ ପ୍ରଧାନ ଗିରଫ ହୋଇଛନ୍ତି।ଗିରଫ ପରେ ସ୍ବାସ୍ଥ୍ୟ ପରୀକ୍ଷା କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଭୁବନେଶ୍ବର ଏସ ଡି ଜେ ଏମ କୋର୍ଟ ରେ ହାଜର ପରେ ଜାମିନ ନାମଂଜୁର ହେବାରୁ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ଏହା ପରେ ଓ ଏ ଏସ ସଂଘ ଆନ୍ଦୋଳନ ରୁ ଓହରି ଯାଇଥିବା ସଂଘ ସଭାପତି ଜ୍ୟୋତି ମିଶ୍ର ସୂଚନା ଦେଇଛନ୍ତି।ଗୁରୁବାର ରାତି ପ୍ରାୟ ସାଢେ଼ ୯ଟା ବେଳେ ଭୁବନେଶ୍ବର ଡିସିପି ଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜଗନ୍ନାଥ ଆତ୍ମସମର୍ପଣ କରିଛନ୍ତି।ଆଇନକୁ ସମ୍ମାନ ଜଣାଇବା ସହ ରାଜ୍ୟରେ ଉପୁଜିଥିବା ପ୍ରଶାସନିକ ଅଚଳାବସ୍ଥା ଦୂର କରିବାକୁ ଯାଇ ସେ ଏଭଳି ନିଷ୍ପତି ନେଇ ଥିବାର କହିଛନ୍ତି। ଗତ ଜୁନ ୩୦ ତାରିଖରେ ଭୁବନେଶ୍ଵର ମହାନଗର ନିଗମର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ବି ଏମ୍ ସି ଅଫିସ ଭିତରେ ମରଣାତ୍ମକ ଆକ୍ରମଣ ହୋଇଥିଲା। ରତ୍ନାକରଙ୍କୁ ଘୋଷାଡି ବିଧା,ଗୋଇଠା,ମାଡ ସହ ଅପହରଣ ଉଦ୍ୟମ ହୋଇଥିଲା।ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିବା ନେଇ ଆରମ୍ଭରୁ ଅଭିଯୋଗ ଉଠିଥିଲା।ଏହାକୁ ନେଇ ବିଜେଡ଼ି ବି ଧାରଣାରେ ବସିଥିଲା।ପୁଲିସ ଏହି ମାମଲାରେ ପୂର୍ବରୁ ବିଜେପି କର୍ପୋରେଟର ଜୀବନ ରାଉତଙ୍କ ସମେତ ୫ ଜଣକୁ ଗିରଫ କରିଥିଲେ।ମାତ୍ରା ଓ ଏ ଏସ ସଂଘ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବୀରେ ରାଜ୍ୟବ୍ୟାପି ସମୂହ ଛୁଟିରେ ଯିବା ପରେ ମାମଲା ଘନେଇଲା।ଜଗନ୍ନାଥ ଙ୍କୁ ଗିରଫ କରିବା ନେଇ ପୁଲିସ ଉପରେ ଚାପ ବଢିଲା। ଶେଷରେ ଜଗନ୍ନାଥ ପ୍ରଧାନ ଗିରଫ ହେଲେ।ପୁଲିସ କମିସନର ଏସ.ଦେବଦତ୍ତ ସିଂହ ଗଣମାଧ୍ୟମକୁ କହିଛନ୍ତି ,ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଇଛି। ଡିସିପି ଜଗମୋହନ ମୀନା କହିଛନ୍ତି,ଜଗନ୍ନାଥ ପ୍ରଧାନ ଆସି ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା।ଏତଲା ପୀଡ଼ିତଙ୍କ ବୟାନ ଓ ପ୍ରାଥମିକ ତଦନ୍ତରୁ ମିଳିଥିବା ତଥ୍ୟ ପ୍ରମାଣ କୁ ଆଧାର କରି ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଇଛି।ଏହା ସହ ଗିରଫଦାରୀ ସଂଖ୍ୟା ୬ କୁ ବୃଦ୍ଧି ପାଇଛି।