ଅଟୋ ଚାଳକଙ୍କ ବଦାନ୍ୟତା ପାଊ ଆଦର୍ଶ ଯୁବ ପରିଷଦ ମାଧ୍ୟମରେ ହଜିଯାଇଥିବା ମୋବାଇଲେ ଫେରିପାଇଲେ ମହିଳା
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋର ଥାନା ନଟାପଡା ଗ୍ରାମର ଯଦୁନାଥ ଧଡା ଅଟୋ ଚଳାଇ ନିଜ ପରିବାର ପ୍ରତିପୋଷଣ କରନ୍ତି। ଗତ ୪ ଦିନ ତଳେ ସୋମବାର ସକାଳ ସମୟରେ ଉତ୍ତରେଶ୍ଵର ସ୍ଥିତ କସମୋ ବଜାର ନିକଟରୁ ଜଣେ ମହିଳାଙ୍କୁ ବାସୁଦେବପୁର ବ୍ଲକ୍ ଜଗନ୍ନାଥପୁର ଗ୍ରାମକୁ ଯିବା ପାଇଁ ଅଟୋରେ ବସାଇଥିଲେ । ସମ୍ପୃକ୍ତ ମହିଳାଙ୍କୁ ଅଟୋ ଚାଳକ ଠିକଣା ସ୍ଥାନରେ ଛାଡି ନିଜର ଅନ୍ୟ ଏକ ଭଡା ନେଇ ପଳାଇ ଆସିଥିଲେ। ଫେରିବା ସମୟରେ ଅଧା ବାଟରେ ନିଜ ଅଟୋରେ ଗୋଟିଏ ମୋବାଇଲ ରହିଥିବାର ଦେଖିବାକୁ ପାଇଥିଲେ। ସୋର ପହଞ୍ଚିବା ପରେ ଉକ୍ତ ମୋବାଇଲକୁ ସୋରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦର ସଭାପତି ପୃଥିବୀ ରଞ୍ଜନ ବେହେରାଙ୍କ ସହିତ ସଦସ୍ୟ ତୁଷାର ଜେନାଙ୍କୁ ଘଟଣା ବିଷୟରେ କହି ମୋବାଇଲକୁ ସମ୍ପୃକ୍ତ ମହିଳାଙ୍କୁ ଫେରାଇ ଦେବା ପାଇଁ କିଛି ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ଘଟଣା ବିଷୟରେ ଅବଗତ ହେଲା ପରେ ସଂଗଠନ ତରଫରୁ ସଭାପତି ଶ୍ରୀ ବେହେରାଙ୍କ ଉଦ୍ୟମ ବଳରେ ମୋବାଇଲ ହଜିଯାଇଥିବା ମହିଳାଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ବାଲେଶ୍ୱରର ମିନା କୁମାରୀ ଅଗସ୍ତି ନିଜ ସମ୍ପର୍କିୟଙ୍କ ସହ ପରିଷଦର କାର୍ଯ୍ୟାଳୟରେ ପହଞ୍ଚି ନିଜର ହଜିଥିବା ମୋବାଇଲକୁ ଫେରି ପାଇଥିଲେ। ଜଣେ ଅଟୋ ଚାଳକ ହୋଇ ନିଜର ବଦାନ୍ୟତା ଦେଖାଇ ମାନବିକତାର ପରିଚୟ ଦେଇ ମୋବାଇଲଟିକୁ ଫେରାଇଥିବାରୁ ଶ୍ରୀମତି ଦାସ ସଂଗଠନ ସହିତ ଶ୍ରୀ ଧଡ଼ାକୁ କୃତଜ୍ଞତା ଜ୍ଞାପନ କରିଥିଲେ।
