ଭରା ନଈ ପାର ହୋଇ ଶବ ସତ୍କାର — ବର୍ଷ ପରେ ବର୍ଷ ବିତିଲା, ହେଲେ ହେଲାନି ଛୋଟ ପୋଲ ଖଣ୍ଡେ ।
କୋରାପୁଟ: ବିକାଶର ଅନେକ ଦାବି ମଧ୍ୟରେ ଆଜି ବି ମୌଳିକ ଯାତାୟାତ ସୁବିଧାରୁ ବଞ୍ଚିତ ଗ୍ରାମବାସୀ। ମୃତଦେହକୁ ସମାଧି ଦେବା ପାଇଁ ଭରା ନଈ ପାର ହୋଇ ନେବାକୁ ପଡୁଥିବା ଦୃଶ୍ୟ ପୁଣିଥରେ ସାମ୍ନାକୁ ଆସିଛି। ଏଭଳି ଘଟଣା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅଧୀନସ୍ଥ ଭିତରଗଡ଼ ପଞ୍ଚାୟତର ଚାରଡ଼ା ଗ୍ରାମରେ ଦେଖିବାକୁ ମିଳିଛି।
ଚାରଡ଼ା ଗ୍ରାମର ମୁକ୍ତାମଣି ହିଆଲ ନାମକ ଜଣେ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ସମାଧି ଦେବା ପାଇଁ ଗ୍ରାମବାସୀଙ୍କୁ ଭରା ନଈ ପାର କରି ନେବାକୁ ପଡିଥିଲା। ନଈରେ ପାଣି ଅଧିକ ଥିବା ସତ୍ତ୍ୱେ ମଧ୍ୟ ଅନ୍ୟ କୌଣସି ବିକଳ୍ପ ନଥିବାରୁ ଗ୍ରାମବାସୀ ବିପଦକୁ ଖାତିର ନକରି ମୃତଦେହକୁ ନେଇ ନଈ ପାର ହୋଇଥିଲେ।ଏହି ଦୃଶ୍ୟ କେବଳ ଆଜିର ଘଟଣା ନୁହେଁ ବୋଲି ଗ୍ରାମବାସୀ କହିଛନ୍ତି। କିଛି ବର୍ଷ ପୂର୍ବରୁ ମଧ୍ୟ ଚାରଡ଼ା ଗ୍ରାମରେ ଠିକ୍ ଏହିପରି ଘଟଣା ଘଟିଥିଲା। ସେତେବେଳେ ମଧ୍ୟ ମୃତଦେହକୁ ଭରା ନଈ ପାର କରି ନେବାକୁ ପଡିଥିଲା। ଘଟଣାଟି ବିଭିନ୍ନ ଖବରକାଗଜ, ଟିଭି ଚ୍ୟାନେଲ ଓ ସୋସିଆଲ ମିଡିଆରେ ପ୍ରକାଶ ପାଇଥିଲା। ଖବର ପ୍ରସାରଣ ପରେ ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ଚାରଡ଼ା ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରାଯାଇଥିଲା।ଗ୍ରାମବାସୀଙ୍କ ଆଶା ଥିଲା, ଏହି ଘଟଣା ପରେ ହୁଏତ ପ୍ରଶାସନ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବ। ନଈ ଉପରେ ଏକ ଛୋଟ ପୋଲ କିମ୍ବା ଅନ୍ୟ କୌଣସି ସୁରକ୍ଷିତ ପାରାପାର ବ୍ୟବସ୍ଥା କରାଯିବ। କିନ୍ତୁ ବର୍ଷ ପରେ ବର୍ଷ ବିତିଗଲା, ଗ୍ରାମବାସୀଙ୍କ କହିବା ଅନୁସାରେ ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇନାହିଁ।ବର୍ଷା ଦିନ ଆସିଲେ ଏହି ସମସ୍ୟା ଆହୁରି ଗମ୍ଭୀର ହୋଇପଡ଼େ। ନଈରେ ପାଣି ବଢ଼ିଲେ ଗ୍ରାମବାସୀଙ୍କ ଯାତାୟାତ ଏକପ୍ରକାର ବିପଦପୂର୍ଣ୍ଣ ହୋଇଯାଏ। ଜରୁରୀ ପରିସ୍ଥିତିରେ ରୋଗୀଙ୍କୁ ହସ୍ପିଟାଲ ନେବା, ବୃଦ୍ଧ ଓ ଶିଶୁଙ୍କ ଯାତାୟାତ କରାଇବା ଏବଂ ଅନ୍ୟାନ୍ୟ ଆବଶ୍ୟକ କାମ ପାଇଁ ମଧ୍ୟ ଲୋକଙ୍କୁ ନଈ ପାର ହେବାକୁ ପଡୁଥିବା ଅଭିଯୋଗ ହୋଇଛି।
ସବୁଠାରୁ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳେ କାହାରୋ ମୃତ୍ୟୁ ହେଲେ। ଜଣେ ପରିବାର ସଦସ୍ୟଙ୍କୁ ହରାଇ ଶୋକରେ ଥିବା ପରିବାର ଓ ସମ୍ପର୍କୀୟମାନେ ମଧ୍ୟ ଶେଷକୃତ୍ୟ ପାଇଁ ଭରା ନଈ ପାର କରିବାକୁ ବାଧ୍ୟ ହେଉଛନ୍ତି। ଏହା ଗ୍ରାମବାସୀଙ୍କ ଦୁର୍ଦ୍ଦଶାର ଏକ ସ୍ପଷ୍ଟ ଚିତ୍ର ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଗ୍ରାମର ପ୍ରମୋଦ କୁମାର ହିଆଲ, ପିତ୍ ବସ , ଅମିନା ହିଆଲ ପ୍ରମୁଖ ଗ୍ରାମବାସୀ କହିଛନ୍ତି ଯେ, ବହୁବର୍ଷ ଧରି ଏହି ସମସ୍ୟା ରହିଆସିଛି। ପୂର୍ବରୁ ଘଟଣା ଖବରକାଗଜ ଓ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ଗ୍ରାମକୁ ଆସି ସ୍ଥିତି ଦେଖିଥିଲା। କିନ୍ତୁ ଏତେ ବର୍ଷ ପରେ ମଧ୍ୟ ନଈ ଉପରେ ଛୋଟ ପୋଲଟିଏ ନିର୍ମାଣ ହୋଇନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
“ପ୍ରଶାସନ ପାଖରେ ଛୋଟ ପୋଲ ନିର୍ମାଣ ପାଇଁ ମନବଳ ନାହିଁ ନା କୌଣସି ନେତା ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାନ୍ତି—କାହିଁକି ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହେଲା ନାହିଁ?” ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।ଗ୍ରାମବାସୀଙ୍କ ଦାବି, ଏହା କେବଳ ଗୋଟିଏ ପରିବାରର ସମସ୍ୟା ନୁହେଁ। ଚାରଡ଼ା ଗ୍ରାମର ଅନେକ ପରିବାର ଏହି ନଈ ଉପରେ ନିର୍ଭରଶୀଳ। ବର୍ଷା ଦିନରେ ନଈ ଫୁଲିଯିବା ସମୟରେ ଏହା ଅଧିକ ବିପଦପୂର୍ଣ୍ଣ ହୋଇଥାଏ। ତେଣୁ ଯଥାଶୀଘ୍ର ନଈ ଉପରେ ଏକ ଛୋଟ ପୋଲ ନିର୍ମାଣ କରାଯାଇ ଗ୍ରାମବାସୀଙ୍କ ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସେମାନେ ପ୍ରଶାସନ ଓ ଜନପ୍ରତିନିଧିଙ୍କ ନିକଟରେ ଦାବି କରିଛନ୍ତି।ବର୍ଷ ପରେ ବର୍ଷ ଗ୍ରାମବାସୀଙ୍କ ଦାବି ଓ ଗଣମାଧ୍ୟମରେ ଖବର ପ୍ରସାରଣ ସତ୍ତ୍ୱେ ଯଦି ସମସ୍ୟାର ସମାଧାନ ହୋଇନାହିଁ, ତେବେ ଆଗାମୀ ଦିନରେ ଆଉ କେତେ ପରିବାରକୁ ଏଭଳି ଭାବରେ ଭରା ନଈ ପାର ହୋଇ ଶବ ସତ୍କାର ପାଇଁ ଯିବାକୁ ପଡ଼ିବ—ସେନେଇ ଏବେ ପ୍ରଶ୍ନ ଉଠିଛି।ଗ୍ରାମବାସୀଙ୍କ ଆଶା, ଏଥର ଘଟଣାଟି ପୁଣିଥରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବ ଏବଂ ଚାରଡ଼ା ଗ୍ରାମର ବହୁଦିନର ନଈ ପାରାପାର ସମସ୍ୟାର ସ୍ଥାୟୀ ସମାଧାନ ହେବ। ମୃତ୍ୟୁ ପରେ ମଧ୍ୟ ଜଣେ ମଣିଷଙ୍କ ଶେଷଯାତ୍ରା ଯେପରି ବିପଦପୂର୍ଣ୍ଣ ନହୁଏ, ସେଥିପାଇଁ ତୁରନ୍ତ ଏକ ସୁରକ୍ଷିତ ପାରାପାର ବ୍ୟବସ୍ଥା କରାଯିବା ଏବେ ସମୟର ଦାବି ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି ।କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
