(ବିନୟ କୁମାର ନନ୍ଦ )
ବଲାଙ୍ଗୀର (୧୮/୦୮): ବଲାଙ୍ଗୀର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଏବଂ ପ୍ରଶାସନିକ କାର୍ଯ୍ୟକ୍ରମକୁ ଅଧିକ ଗତିଶୀଳ କରିବା ପାଇଁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ଵପୂର୍ଣ୍ଣ ‘ଜିଲ୍ଲା ଯୋଜନା କମିଟି’ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ, ଭିତ୍ତିଭୂମି ନିର୍ମାଣ ଏବଂ ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ବୈଠକରେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି, କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ, ମାନ୍ୟବର ବଲାଙ୍ଗୀର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂହଦେଓ, ମାନ୍ୟବର ଟିଟିଲାଗଡ଼ ବିଧାୟକ ଶ୍ରୀଯୁକ୍ତ ନବୀନ କୁମାର ଜୈନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ମିଥିଳା ମାଝୀ, ଜିଲ୍ଲାପାଳ ଶ୍ରୀଯୁକ୍ତ ଗୌରୱ ଶିୱାଜୀ ଇସଲୱାର ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ତରଣୀ ସୁନାଙ୍କ ସମେତ କମିଟିର ସମସ୍ତ ସଦସ୍ୟ-ସଦସ୍ୟା ଓ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ କରିବା ସହ ଆଲୋଚନାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ତତ୍ପରେ ଜିଲ୍ଲା ପରିଷଦ, ବଲାଙ୍ଗୀରର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ତରଣୀ ସୁନା, କେବିକେ ବିକାଶ ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରି ୨୦୨୪-୨୫ ଆର୍ଥିକ ବର୍ଷର ଚିଠା ପ୍ରସ୍ତାବ ଉପରେ ଆଲୋକପାତ କରିଥିଲେ। ଏହା ସହିତ ଜିଲ୍ଲାର ସମନ୍ୱିତ ବିକାଶ ଯୋଜନାର ଚିଠା ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବାକୁ ନିଷ୍ପତ୍ତି ନିଆଗଲା। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମୌଳିକ ସମସ୍ୟା, ପାନୀୟ ଜଳ ଯୋଗାଣ, ସଡ଼କ ନିର୍ମାଣ ଏବଂ ସ୍ୱାସ୍ଥ୍ୟସେବା ଭଳି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ସରକାରଙ୍କ ଜନହିତକର ଯୋଜନା ଗୁଡ଼ିକ ଯେପରି ସ୍ୱଚ୍ଛତା ଓ ପାରଦର୍ଶିତା ସହିତ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ, ସେନେଇ କମିଟି କଡ଼ା ନିର୍ଦ୍ଦେଶ ଦେଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ପ୍ରକଳ୍ପ ଶେଷ କରିବା ସହ ଆବଣ୍ଟିତ ପାଣ୍ଠିର ସଠିକ୍ ବିନିଯୋଗ ପାଇଁ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ କୁହାଯାଇଛି। ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଜଳସେଚନର ସୁବିଧା ପାଇଁ ବ୍ୟାରେଜ ନିର୍ମାଣ, ପର୍ଯ୍ୟଟନ ସ୍ଥଳୀର ବିକାଶ, କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ଏବଂ ହସ୍ପିଟାଲଗୁଡ଼ିକରେ ଖାଲିଥିବା ଡାକ୍ତର ପଦବୀ ପୂରଣ ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ଦେବାକୁ ନିଷ୍ପତ୍ତି ହୋଇଛି।
ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ଶ୍ରୀ ଅଙ୍କିତ କୁମାର ମହାକୁର ବୈଠକର ଆଲୋଚ୍ୟ ବିଷୟବସ୍ତୁ ଉପସ୍ଥାପନ କରିଥିଲେ। ଏହି ଅବସରରେ ୨୦୨୪-୨୫ ଆର୍ଥିକ ବର୍ଷର କେବିକେ ବିକାଶ ଯୋଜନା ଉପରେ ବିସ୍ତୃତ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ସେହିପରି ୨୦୨୪-୨୫, ୨୦୨୫-୨୬ ଓ ୨୦୨୬-୨୭ ଆର୍ଥିକ ବର୍ଷର ଜିଲ୍ଲା ବାର୍ଷିକ କାର୍ଯ୍ୟ ଖସଡ଼ା ଉପରେ ମଧ୍ୟ ଆଲୋଚନା କରାଯିବା ସହ ଏହାକୁ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପ୍ରେରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ସମସ୍ତଙ୍କ ସମନ୍ୱୟ ଓ ମିଳିତ ପ୍ରୟାସ ଦ୍ୱାରା ବଲାଙ୍ଗୀରକୁ ଏକ ବିକଶିତ ଜିଲ୍ଲାରେ ପରିଣତ କରିବା ପାଇଁ ବୈଠକରେ ସଂକଳ୍ପ ନିଆଯାଇଥିଲା। ଶେଷରେ ସହାୟକ ନିର୍ଦ୍ଦେଶକ (ଯୋଜନା) ସୋନାଲୀ ସୁଚିସ୍ମିତା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
