**ଭି.ବି.-ଜି.ରାମ୍.ଜି. ଅଧିନିୟମ ଉପରେ ଜିଲ୍ଲାସ୍ତରୀୟ ପଞ୍ଚ ସମ୍ମିଳନୀ ତୃଣମୂଳସ୍ତରରେ ପ୍ରଭାବୀ କାର୍ଯ୍ୟାନ୍ୱୟନ ଓ ଗ୍ରାମୀଣ ଜୀବିକା ସୁରକ୍ଷା ଉପରେ ଗୁରୁତ୍ୱ*
*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୧୪/୦୮: ବିକଷିତ ଭାରତ-ଗ୍ରାମୀଣ ରୋଜଗାର ଏବଂ ଜୀବିକା ମିଶନ ଗ୍ୟାରେଣ୍ଟି ଅଧିନିୟମ, ୨୦୨୫ ସମ୍ପର୍କରେ ତୃଣମୂଳସ୍ତରରେ ସଚେତନତା ଓ ପ୍ରଭାବୀ କାର୍ଯ୍ୟାନ୍ୱୟନ ନିମନ୍ତେ ନୂଆପଡ଼ାରେ ଜିଲ୍ଲାସ୍ତରୀୟ ପଞ୍ଚ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ସିନାପାଲି ଓ ଖରିଆର ବ୍ଲକର ସମସ୍ତ ସରପଞ୍ଚ ଏବଂ ପଞ୍ଚାୟତ ସମିତି ସଦସ୍ୟ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ପ୍ରଶାସନ), ଜିଲ୍ଲା ପରିଷଦ, କ୍ଷମାନିଧି ଭୋଇ, ଏମ୍ଜିଏନ୍ଆର୍ଇଜିଏସ୍ ସଂଯୋଜକ, ଜିଲ୍ଲା ପରିଷଦ ଏବଂ I-NRM ବିଶେଷଜ୍ଞଙ୍କ ସମେତ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଜିଲ୍ଲାପାଳ ଭି.ବି.-ଜି.ରାମ୍.ଜି. ଅଧିନିୟମ, ୨୦୨୫ର ଉଦ୍ଦେଶ୍ୟ, ପ୍ରମୁଖ ବୈଶିଷ୍ଟ୍ୟ ଓ ମୁଖ୍ୟ ବ୍ୟବସ୍ଥାବଳୀ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ। ଅଧିନିୟମର ସଫଳତା ତୃଣମୂଳସ୍ତରରେ ଏହାର ପ୍ରଭାବୀ ଓ ସ୍ୱଚ୍ଛ କାର୍ଯ୍ୟାନ୍ୱୟନ ଉପରେ ନିର୍ଭର କରୁଥିବାରୁ ଅଂଶଗ୍ରହଣମୂଳକ ଯୋଜନା ପ୍ରସ୍ତୁତି, ଆବଶ୍ୟକତାଭିତ୍ତିକ କାର୍ଯ୍ୟ ଚୟନ ଏବଂ ସମୟୋଚିତ ଭାବେ କାର୍ଯ୍ୟ ସମ୍ପାଦନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ନୂଆପଡ଼ା ଭଳି ଜିଲ୍ଲାରେ ଗ୍ରାମୀଣ ପରିବାରଗୁଡ଼ିକର ଜୀବିକା ସୁରକ୍ଷା ସୁଦୃଢ଼ କରିବା ସହ ଦାଦନ ଓ ବାଧ୍ୟତାମୂଳକ ପ୍ରବାସନ ହ୍ରାସ କରିବାରେ ଭି.ବି.-ଜି.ରାମ୍.ଜି. ଅଧିନିୟମର ବ୍ୟାପକ ସୁଯୋଗ ରହିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଗ୍ରାମୀଣ ପରିବାରଗୁଡ଼ିକୁ ପର୍ଯ୍ୟାପ୍ତ ରୋଜଗାର ସୁଯୋଗ ଯୋଗାଇ ଜୀବିକା ସୁରକ୍ଷା ସୁନିଶ୍ଚିତ କରିବା ସହ ସ୍ଥାୟୀ ଗ୍ରାମୀଣ ସମ୍ପତ୍ତି ସୃଷ୍ଟି ଦିଗରେ ଏହାକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିବାକୁ ସେ ଆହ୍ୱାନ ଦେଇଥିଲେ।ସରପଞ୍ଚ ଓ ପଞ୍ଚାୟତ ସମିତି ସଦସ୍ୟମାନେ ଏହି ଅଧିନିୟମର ସଫଳ ରୂପାୟଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ। ଯୋଗ୍ୟ ଗ୍ରାମୀଣ ପରିବାରଗୁଡ଼ିକ ଯେପରି ରୋଜଗାର ଓ ଜୀବିକା ସୁରକ୍ଷାର ସୁଯୋଗରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ତୃଣମୂଳସ୍ତରରେ ସମନ୍ୱିତ ଓ ଦାୟିତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଥିଲା।
ସମ୍ମିଳନୀ ମାଧ୍ୟମରେ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଭି.ବି.-ଜି.ରାମ୍.ଜି. ଅଧିନିୟମର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଯିବା ସହ ଏହାର ସୁଚାରୁ କାର୍ଯ୍ୟାନ୍ୱୟନ ପାଇଁ ତୃଣମୂଳସ୍ତରରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ କରାଯାଇଥିଲା।
