ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବାଢୁଣିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି।
ଅସମ୍ପୂର୍ଣ୍ଣ ପ୍ରଧାନମନ୍ତ୍ରୀ ଆବାସ ଗୃହ ଭିତରୁ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ମୃତକ ଜଣକ ବାଢୁଣିଆ ଗାଁର ୪୦ ବର୍ଷୀୟ ଶିରିଶ ପଟେଲ (ମାଳୀ) । ଅଭିଯୋଗ ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ । ମାମଲାରେ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।
ଅସମ୍ପୂର୍ଣ୍ଣ ଆବାସ ଗୃହରୁ ରକ୍ତାକ୍ତ ମୃତଦେହ ଉଦ୍ଧାର ଘଟଣା
ସୋମବାର ରାତିରେ କୌଣସି କାରଣରୁ ଦୁର୍ବୃତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଥିବା ଅଭିଯୋଗ ହୋଇଛି । ଆଜି ସକାଳୁ ଗାଁ ଲୋକେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଦେଖି ବିଶୋଇ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବିଶୋଇ ଥାନା ଆଇଆଇସି ସୁବର୍ଣ୍ଣ ବେହେରାଙ୍କ ନେତୃତ୍ୱରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହ ରାଇରଙ୍ଗପୁର ନୂତନ ପୋଲିସ ଜିଲ୍ଲା ଏସପି ସୁରେଶ ଚନ୍ଦ୍ର ପାତ୍ର, ରାଇରଙ୍ଗପୁର ଏସଡିପିଓ ବିରେନ୍ଦ୍ର ସେନାପତି ଏବଂ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛନ୍ତି ।
ଏହି ଘଟଣାକୁ ନେଇ ବିଶୋଇ ଥାନା ପୋଲିସ କେସ୍ ନମ୍ବର ୧୭୮/୨୬ ରେ ଏକ ହତ୍ୟା ମାମଲା ରୁଜୁ କରିଛି । ଘଟଣାର ଛାନଭିନ ଜାରି ରହିଥିବା ବେଳେ ସନ୍ଦେହରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲ ପଠାଯାଇଛି ।
ସାଇଣ୍ଟିଫିକ୍ ଟିମ୍ର ତଦନ୍ତ, ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ଏବଂ ଅଟକ ଥିବା ବ୍ୟକ୍ତିଙ୍କୁ ପଚରାଉଚରା ପରେ ଘଟଣାର ପ୍ରକୃତ କାରଣ ଓ କିଏ, କେଉଁଥିରେ ହତ୍ୟା କରିଛି ତାହା ଉନ୍ମୋଚନ ହୋଇ ପାରିବ ବୋଲି ପୋଲିସ କହିଛି । “ଆଜି ଗୋଟିଏ ହତ୍ୟା ମାମଲା ରିପୋର୍ଟ ହୋଇଛି । ସକାଳୁ ଗୋଟିଏ ମୃତଦେହ ପଡିଥିବାର ଖବର ପାଇ ଥାନା ଆଇଆଇସି ଘଟଣାସ୍ଥଳକୁ ଆସିଥିଲେ । ବିଶୋଇ ଥାନା କେସ ନମ୍ବର 178/26 , ଦଫା 103 ବିଏନଏସ କ୍ଲଜ୍-1ରେ ଏକ ମାମଲା ରୁଜୁ କରିଛି । ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ତଦନ୍ତ ଜାରି ରଖିଛନ୍ତି । ଆମେ ଜଣେ ଅଭିଯୁକ୍ତକୁ ସନ୍ଦେହରେ ଅଟକ ରଖି ପଚରା ଉଚରା କରୁଛି । ତଦନ୍ତ ଚାଲିଛି ଆଗକୁ ହତ୍ୟା ଘଟଣାର ପର୍ଦ୍ଦାଫାସ ହେବ,” କହିଛନ୍ତି ରାଇରଙ୍ଗପୁର ଏସଡିପିଓ ବୀରେନ୍ଦ୍ର ସେନାପତି ।
ତେବେ ମୃତକଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଏବଂ ପ୍ରଚୁର ରକ୍ତସ୍ରାବ ହୋଇଥିବା ଦେଖା ଯାଇଥିବା ବେଳେ ଘଟଣାଟିକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି ।
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ସହ ଶୁଭାଶିଷ ଚୌଧୂରୀଙ୍କ ରିପୋର୍ଟ ଭଞ୍ଜଦୂତ ଖବର
