ରାଇରଙ୍ଗପୁରରେ ଆତଙ୍କ ଖେଳାଇଛି ବାଘୁଆ ମହୁମାଛି, ଆକ୍ରମଣରେ ବୃଦ୍ଧା ମୃତ
ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର । ରେଳଲାଇନ ପଟେ ଫେରୁଥିଲେ ବୃଦ୍ଧା । ଆକ୍ରମଣ କଲା ବାଘୁଆ ମହୁମାଛି
Honeybee attack
ରାଇରଙ୍ଗପୁରରେ ଆତଙ୍କ ଖେଳାଇଛି ବାଘୁଆ ମହୁମାଛି
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳରେ ବାଘୁଆ ମହୁମାଛି ଆତଙ୍କ ଦେଖିବାକୁ ମିଳିଛି । ବାଘୁଆ ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ହୋଇଛନ୍ତି । ମହୁମାଛି ଆକ୍ରମଣରେ ପ୍ରାଣ ହରାଇଥିବା ମହିଳା ଜଣକ ହେଲେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୪ ଇଚିଣ୍ଡାର ସ୍ବର୍ଗତ ନିମନା ଦାସଙ୍କ ସ୍ତ୍ରୀ ବାସନ୍ତି ଦେବୀ (୬୬) । ସେହିପରି ଗୁରୁତର ହୋଇଥିବା ଦୁଇ ଜଣ ହେଲେ ବାଦାମପାହାଡ ଥାନା ଅନ୍ତର୍ଗତ ସାନପୁରୁଣାପାଣି ଗ୍ରାମର ଖଗେଶ୍ୱର ଗିରି (୬୪) ଓ ସୁବାଷ ଗିରି (୪୬) । ତେବେ ଗତ ରବିବାର ବାସନ୍ତୀଙ୍କୁ ଆକ୍ରମଣ କରିଥିଲା ମହୁମାଛି ।
ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ
ରେଳ ଲାଇନ ପଟେ ଆସୁଥିଲେ, ଆକ୍ରମଣ କଲା ବାଘୁଆ ମହୁମାଛି:
ମୃତ ବାସନ୍ତୀ ଦେବୀଙ୍କ ସମ୍ପର୍କୀୟ ରାଜ କୁମାର ରାମଙ୍କ କହିବାନୁଯାୟୀ, ବାସନ୍ତୀ ଦେବୀଙ୍କ କେହି ନଥିବାରୁ ସେ ରାଇରଙ୍ଗପୁର ଡେଲି ମାର୍କେଟ ହନୁମାନ ବାଟିକା ନିକଟସ୍ଥ ନିଜ ସମ୍ପର୍କୀୟଙ୍କ ଘରେ ସମୟ ଅତିବାହିତ କରନ୍ତି । ପ୍ରତ୍ୟେକ ଦିନ ପରି ଗତ ରବିବାର( ଅଗଷ୍ଟ 9) ଦିନ ସେ ରାଇରଙ୍ଗପୁର ବଜାରରେ ଥିବା ସମ୍ପର୍କୀୟ ଘରକୁ ଆସିଥିଲେ । ସେଠାରେ ଖାଇପିଇ ସାରି ଦିନ ୪ଟା ସମୟରେ ରେଳ ଲାଇନ୍ ଦେଇ ଚାଲିଚାଲି ଇଚିଣ୍ଡା ସ୍ଥିତ ନିଜ ଘରକୁ ଯାଉଥିଲେ । ସେହି ସମୟରେ ବାସନ୍ତୀ ଦେବୀ ବାଘୁଆ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ସେଇଠାରେ ହିଁ ସେ ସଂଜ୍ଞାହୀନ ଅବସ୍ଥାରେ ପଡ଼ି ରହିଥିଲେ ।
Honeybee Attack
ବାଘୁଆ ମହୁମାଛି ଆକ୍ରମଣରେ ମହିଳା ମୃତ
ଗତକାଲି ଅନ୍ତିମ ସଂସ୍କାର ସମ୍ପନ୍ନ:
ଖବର ପାଇବା ପରେ ସମ୍ପର୍କୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ରାଇରଙ୍ଗପୁର ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ରବିବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ବାସନ୍ତି ଦେବୀଙ୍କର କୌଣସି ସନ୍ତାନ ସନ୍ତତି ନ ଥିବାରୁ ତାଙ୍କର ସମ୍ପର୍କୀୟ ରାଜ କୁମାର ରାମ କିଛି ଲୋକଙ୍କ ସହାୟତାରେ ଗତକାଲି(ସୋମବାର) ବାସନ୍ତୀ ଦେବୀଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିଲେ ।
ବାଦାମ ପାହାଡରେ ବି ମହୁମାଛି ଆତଙ୍କ:
ସେହିପରି ବାଦାମପାହାଡ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ଖଗେଶ୍ୱର ଗିରି (୬୪) ଓ ସୁବାଷ ଗିରି (୪୬) ଗାଈ ଚରାଉ ଥିବା ସମୟରେ ବାଘୁଆ ମହୁମାଛି ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଉଭୟ ସେଠାରେ ଚିକିତ୍ସାଧିନ ଥିବା ବେଳେ ଗତକାଲି(ସୋମବାର) ଉଭୟଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବାରୁ ସେମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରି ଦିଆଯାଇଛି।
Honeybee Attack
ମହିମାଛି ଆକ୍ରମଣରେ ଗୁରୁତର
ବର୍ତ୍ତମାନ ବର୍ଷା ଓ ପବନ ହେଉଥିବା ଯୋଗୁଁ ବିଭିନ୍ନ ଗଛର ଡାଳ ଭାଙ୍ଗି ଯାଉଛି । ସେହି ଡାଳ ଗୁଡିକରେ ବସା ବାନ୍ଧି ଥିବା ମହୁମାଛିଙ୍କ ବସା ଭାଙ୍ଗି ଯାଉଥିବାରୁ ମହୁମାଛି ମାନେ ଆକ୍ରମଣ କରୁଥିବା ସନ୍ଦେହ କରାଯାଉଛି ।
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ସହ ଶୁଭାଶିଷ ଚୌଧୂରୀଙ୍କ ରିପୋର୍ଟ ଭଞ୍ଜଦୂତ ଖବର
