*ସାର ବିକ୍ରୟ କେନ୍ଦ୍ରରେ ଜିଲ୍ଲାପାଳଙ୍କ ଆକସ୍ମିକ ପରିଦର୍ଶନ; ଷ୍ଟକ୍ ଓ ବିକ୍ରୟ ରେକର୍ଡ ଯାଞ୍ଚ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୧୦/୦୮:
ଚାଷୀମାନଙ୍କୁ ସରକାରୀ ନିର୍ଦ୍ଧାରିତ ମୂଲ୍ୟରେ ସାର ଯୋଗାଣ ଓ ଏହାର ନିରବଚ୍ଛିନ୍ନ ଉପଲବ୍ଧତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ମଧୁସୂଦନ ଦାଶ ନୂଆପଡ଼ା ବ୍ଲକର ବିଭିନ୍ନ ସାର ବିକ୍ରୟ କେନ୍ଦ୍ର ଆକସ୍ମିକ ପରିଦର୍ଶନ କରିଛନ୍ତି।ନୂଆପଡ଼ା ବ୍ଲକ କୃଷି ଅଧିକାରୀ ସତ୍ୟଭୂଷଣ ନାଗ ଏବଂ ଉପ-ନିବନ୍ଧକ, ସମବାୟ ସମିତି ଶିବ ପ୍ରସାଦ ସ୍ୱାଇଁ ଯାଞ୍ଚରେ ସାମିଲ ହୋଇଥିଲେ।ଯାଞ୍ଚ ସମୟରେ ସାଇପାଳ ଓ ଖଇରାନାଇ ପଞ୍ଚାୟତ ଅଧୀନରେ ଥିବା ବିଭିନ୍ନ ସାର ବିକ୍ରୟ କେନ୍ଦ୍ରରେ ସାରର ଷ୍ଟକ୍, ଉପଲବ୍ଧତା, ବିକ୍ରୟ ରେକର୍ଡ ଏବଂ ସମ୍ପୃକ୍ତ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଚାଷୀମାନଙ୍କୁ ସରକାରୀ ନିର୍ଦ୍ଧାରିତ ମୂଲ୍ୟରେ ସାର ଯୋଗାଣ, ଷ୍ଟକ୍ର ସଠିକ୍ ରେକର୍ଡ ରଖିବା ଏବଂ ବିକ୍ରୟ ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ରଖିବା ନେଇ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀ ଓ ବିକ୍ରେତାମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।କେତେକ କ୍ଷେତ୍ରରେ ପରିଲକ୍ଷିତ ଅସଙ୍ଗତିକୁ ଗୁରୁତ୍ୱର ସହ ନେଇ ସମ୍ପୃକ୍ତ ବିକ୍ରେତାଙ୍କ ବିରୋଧରେ ନିୟମାନୁଯାୟୀ ନୋଟିସ୍ ଜାରି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଚାଷୀମାନଙ୍କୁ ଆବଶ୍ୟକତା ଅନୁଯାୟୀ ସାର ଯୋଗାଣ, ନିର୍ଦ୍ଧାରିତ ମୂଲ୍ୟରେ ବିକ୍ରୟ ଏବଂ ସାର ବିକ୍ରୟ ବ୍ୟବସ୍ଥାରେ ସ୍ୱଚ୍ଛତା ନିଶ୍ଚିତ କରିବା ପାଇଁ ଜିଲ୍ଲାରେ ଏଭଳି ଯାଞ୍ଚ ଓ ନିରୀକ୍ଷଣ ଜାରି ରହିବ ବୋଲି ଜଣାଯାଇଛି।
