*ଖଡ଼ିଆଳ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ: ବିପୁଳ ପରିମାଣର ମହୁଲି ମଦ ଓ ପୋଚ ଜବତ, ଜଣେ ଗିରଫ*
ନୂଆପଡା(ମିଖାଏଲ ନନ୍ଦ)
ତା-୧୦/୦୮/୨୦୨ ୬
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅବକାରୀ ଗାରିସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବେଆଇନ ମହୁଲି ମଦ ଓ ମଦ ରନ୍ଧା ପୋଚ ଜବତ କରାଯାଇଛି। ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଏକ ସ୍ଥାନରୁ ବେୱାରିସ ଅବସ୍ଥାରେ ମଦ ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ, କୋମନା ଥାନା ଅନ୍ତର୍ଗତ ତରବୋଡ଼ ଠାରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା (କେସ ନଂ- ୧୩୪/୨୦୨୬-୨୭)। ସେଠାରୁ ପ୍ରାୟ ୧୦.୨୦୦ ଲିଟର ରାନ୍ଧା ମହୁଲି ମଦ ଜବତ କରାଯିବା ସହ ମହେନ୍ଦ୍ର କୁମାର ବନଛୋର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।ସେହିପରି କୋମନା ଥାନା ଅନ୍ତର୍ଗତ ଘାଟିପଡ଼ା ଠାରେ ଅବକାରୀ ବିଭାଗ ଆଉ ଏକ ଚଢ଼ାଉ କରିଥିଲା (କେସ ନଂ- ୧୩୫/୨୦୨୬-୨୭)। ଏହି ସ୍ଥାନରୁ ପ୍ରାୟ ୮୦୦ କିଲୋଗ୍ରାମ ମହୁଲ ପୋଚ ଏବଂ ୨୦ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି। ତେବେ ଚଢ଼ାଉ ସମୟରେ ସେଠାରେ କେହି ନଥିବାରୁ ଏହାକୁ ଏକ ବେୱାରିସ (Unclaimed) ମାମଲା ଭାବେ ରୁଜୁ କରାଯାଇଛି।ଏହି ସଫଳ ଚଢ଼ାଉରେ ଖଡ଼ିଆଳ ଅବକାରୀ ବିଭାଗର ଓଆଇସି (OIC) ଆଲେଖ ପଟେଲ, ଏଏସଆଇ (ASI) ଅମରନାଥ ବିଶୋଇ ଏବଂ କନଷ୍ଟେବଳ ମଳୟ କୁମାର ମହନ୍ତ, ଗୀତାଞ୍ଜଳି ଶବର ଓ ମୋହନ ମୁରାରୀ ତାଣ୍ଡି ପ୍ରମୁଖ ସାମିଲ ଥିଲେ। ଅବକାରୀ ବିଭାଗ ପକ୍ଷରୁ ଏହିଭଳି ବେଆଇନ ମଦ କାରବାର ବିରୁଦ୍ଧରେ ଆଗକୁ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସୂଚନା ମିଳିଛି।
