ବିଧାୟକ ରୂପେଶ ପାଣିଗ୍ରାହୀ ଜିବା ସରକାରୀ ଉଚ୍ଚ ବିଦ୍ୟାଳୟ ଅଚାନକ ଗସ୍ତ କଲେ ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜିବା ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ ଅଚାନକ ଗସ୍ତ କରି ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା, ଭିତ୍ତିଭୂମି ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଥିଲେ।
ଗସ୍ତ ସମୟରେ ବିଧାୟକ ଶ୍ରୀ ପାଣିଗ୍ରାହୀ ବିଭିନ୍ନ ଶ୍ରେଣୀଗୃହ ବୁଲି ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ପାଠପଢ଼ାର ମାନ, ପାନୀୟ ଜଳ, ଶୌଚାଳୟ, ବିଦ୍ୟୁତ୍ ବ୍ୟବସ୍ଥା, ଖେଳ ପଡ଼ିଆ ଓ ଅନ୍ୟାନ୍ୟ ମୌଳିକ ସୁବିଧା ବିଷୟରେ ସେ ଖୋଜଖବର ନେଇଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ମଧ୍ୟ ସୂଚନା ସଂଗ୍ରହ କରିଥିଲେ।
ଛାତ୍ରଛାତ୍ରୀମାନେ ମଧ୍ୟ ବିଦ୍ୟାଳୟରେ ଥିବା କିଛି ସମସ୍ୟା ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଇଥିଲେ। ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ସହ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଧାୟକ ଆଶ୍ୱାସନ ଦେଇଥିଲେ।
ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ସହ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରିବା ସରକାରଙ୍କ ପ୍ରାଥମିକତା ବୋଲି ସେ କହିଥିଲେ। ଏହି ଅଚାନକ ଗସ୍ତ ଫଳରେ ବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ହେବ ବୋଲି ଅଭିଭାବକ ଓ ସ୍ଥାନୀୟ ଲୋକମାନେ ଆଶା ପ୍ରକାଶ କରିଛନ୍ତି।
