ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ କୃଷକ ସଂଗଠନର ତହସିଲଦାରଙ୍କୁ ଦାବିପତ୍ର
ବରଗଡ :ଗାଇସିଲେଟ, ୦୪ /୦୮(ନି ପ୍ର) : ରାଜ ବୋଡା ସମ୍ବର କୃଷକ ସଂଗଠନର ଗାଇସିଲେଟ ବ୍ଲକ ଶାଖା ପକ୍ଷରୁ ମଙ୍ଗଳବାର ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଗାଇସିଲେଟ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ସଂଗଠନ ପକ୍ଷରୁ କୁହାଯାଇଛି ଯେ, ବାରମ୍ବାର ଦାବି ଓ ଆନ୍ଦୋଳନ ସତ୍ତ୍ୱେ ମଧ୍ୟ ଚାଷୀଙ୍କ ସାର ସମସ୍ୟାର ସମାଧାନ ହୋଇପାରିନାହିଁ। ପ୍ରକୃତ ଅଣଋଣୀ ଚାଷୀମାନେ ଆବଶ୍ୟକ ସାର ପାଉନଥିବାବେଳେ ଦଲାଲଙ୍କ ମାଧ୍ୟମରେ ସାରର କଳାବଜାର ଚାଲିଥିବା ଅଭିଯୋଗ କରାଯାଇଛି। ତେଣୁ ଅଣଋଣୀ ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ୟୁରିଆ ଓ ଡିଏପି ସାର ଯୋଗାଇ ଦେବାକୁ ଦାବି କରାଯାଇଛି।
ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ‘ଅଗ୍ରିଷ୍ଟାକ’ ବାଧ୍ୟତାମୂଳକ ଥିବାରୁ ଅନେକ ଚାଷୀ ବୀମା ସୁବିଧାରୁ ବଞ୍ଚିତ ହେଉଥିବା ଦର୍ଶାଇ ଏହି ବ୍ୟବସ୍ଥାକୁ ଉଚ୍ଛେଦ କରି ସମସ୍ତ ଚାଷୀଙ୍କୁ ବୀମାଭୁକ୍ତ କରିବାକୁ ଦାବି କରାଯାଇଛି।
ଗତ ଜୁଲାଇ ମାସରେ ଲଗାଣ ବର୍ଷା ଯୋଗୁଁ ଅନେକ ଚାଷୀଙ୍କ ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ସଠିକ୍ ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ସଂଗଠନ ଦାବି କରିଛି। ଏହାସହ ଖରିଫ ଧାନ କାର୍ଡ ପଞ୍ଜୀକରଣ ସମ୍ପର୍କରେ ଚାଷୀଙ୍କୁ ସଚେତନ କରିବା, ସାଟେଲାଇଟ୍ ସର୍ଭେ ବ୍ୟବସ୍ଥା ପ୍ରତ୍ୟାହାର କରିବା, ଚାଷ ପାଇଁ ସମ୍ପୂର୍ଣ୍ଣ ବିଦ୍ୟୁତ ବିଲ ଛାଡ଼ କରିବା ସହ ଘରୋଇ ବିଦ୍ୟୁତ ବିଲରେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ରିହାତି ପ୍ରଦାନ କରିବାକୁ ମଧ୍ୟ ଦାବି ଉଠାଯାଇଛି।
ଏହି ସମସ୍ତ ଦାବି ସମ୍ବଳିତ ଦାବିପତ୍ର ଗାଇସିଲେଟ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା। ଦାବିଗୁଡ଼ିକର ଶୀଘ୍ର ସମାଧାନ ନ ହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି କୃଷକ ସଂଗଠନ ଚେତାବନୀ ଦେଇଛି।
ଏହି କାର୍ଯ୍ୟକ୍ରମରେ ସଂଗଠନର ସ୍ଥାୟୀ ସଭାପତି ଅରବିନ୍ଦ ପଣ୍ଡା, କାର୍ଯ୍ୟକାରୀ ସଭାପତି ସରୋଜ ସାହୁ, ମୋହନ ସିଂ ବରିହା, ପ୍ରସନ୍ନ କୁମ୍ଭାର, ଗୁପ୍ତେଶ୍ୱର ସାହୁଙ୍କ ସମେତ ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ।
