୧୫ ଟିକିଆ ହାତୀପଲଙ୍କ ଉପଦ୍ରବ: କଦଳୀ,ନଡ଼ିଆ ଓ ପନିପରିବା ବଗିଚା ଉଜାଡ଼ିଲେ।
ବନବିଭାଗର ଅପାରଗତାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ। ହିନ୍ଦୋଳ ବନାଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। ବନବିଭାଗର ଅବହେଳା ଯୋଗୁଁ ପ୍ରତିବର୍ଷ ସ୍ଥାନୀୟ ଚାଷୀମାନେ ବ୍ୟାପକ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି।ଏଭଳି ଏକ ଅଭାବନୀୟ ତଥା ସମ୍ବେଦନଶୀଳ ଘଟଣା ହିନ୍ଦୋଳ ବନାଞ୍ଚଳ କଂସରା ପଞ୍ଚାୟତ ଆମ୍ବିଠି ଭଗତପୁର ଗ୍ରାମରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ତିରିଶ ତାରିଖ ବିଳମ୍ବିତ ରାତିରେ ୧୫ ଟିକିଆ ହାତୀପଲ ଗାଁ ଭିତରେ ପଶି ଆମ୍ବିଠି ଭଗତପୁର ଗ୍ରାମର ଚାଷୀ ରବିନାରାୟଣ ପ୍ରଧାନଙ୍କ ଏକର ଏକର ଜମିରେ ହୋଇଥିବା କଦଳୀ,ନଡ଼ିଆ ଓ ବିଭିନ୍ନ ପନିପରିବା ବଗିଚାକୁ ସମ୍ପୂର୍ଣ୍ଣ ରୂପେ ଦଳିଚକଟି ନଷ୍ଟ କରିଦେଇଛନ୍ତି। ହାତୀପଲ ବଗିଚା ପାଖକୁ ଚାଲିଆସି ବ୍ୟାପକ ଭଙ୍ଗାରୁଜା ଓ କ୍ଷତିସାଧନ କରୁଥିବା ବେଳେ ବନବିଭାଗର କୌଣସି କର୍ମଚାରୀଙ୍କ ଦେଖା ମିଳିନଥିଲା। ଚାଷୀ ଜଣଙ୍କ ଅତି ଆତଙ୍କିତ ଅବସ୍ଥାରେ ରାତି ବିତାଇଥିବା ବେଳେ ବନବିଭାଗର ଏପରି ଦାୟିତ୍ୱହୀନତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଥାଉ କି ଚାଷୀ ରବିନାରାୟଣ ପ୍ରଧାନ ନିଜର ସମସ୍ତ ପୁଞ୍ଜି ଲଗାଇ ଏହି ବଗିଚା କରିଥିବା ବେଳେ,ହାତୀପଲଙ୍କ ଉପଦ୍ରବ ଯୋଗୁଁ ଆଜି ସେ ସମ୍ପୂର୍ଣ୍ଣ ନିଃସ୍ୱ ହୋଇପଡ଼ିଛନ୍ତି। ପ୍ରତିବର୍ଷ ଏହି ଅଞ୍ଚଳରେ ହାତୀପଲ କ୍ଷତିସାଧନ କରୁଥିଲେ ସୁଦ୍ଧା ଚାଷୀଙ୍କୁ ଆବଶ୍ୟକ କ୍ଷତିପୂରଣ ମିଳୁନଥିବା ଚାଷୀ ଜଣଙ୍କ ଅଭିଯୋଗ କରିଛନ୍ତି। ଅପରପକ୍ଷରେ,ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ହିନ୍ଦୋଳ ବନାଞ୍ଚଳ ଅଧିକାରୀ ତ୍ରିଲୋଚନ ଦେହୁରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,”କ୍ଷତିଗ୍ରସ୍ତ ଚାଷୀଙ୍କ ଜମିର ତୁରନ୍ତ ତଦନ୍ତ କରାଯିବ ଏବଂ ସରକାରୀ ନିୟମାନୁସାରେ ଯଥାଶୀଘ୍ର ଆବଶ୍ୟକ କ୍ଷତିପୂରଣ ସହାୟତା ଯୋଗାଇ ଦିଆଯିବ।ତେବେ କେବଳ ପ୍ରତିଶ୍ରୁତି ନୁହେଁ,ବରଂ ବନବିଭାଗ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି କ୍ଷତିପୂରଣ ପ୍ରଦାନ କରିବା ସହ ହାତୀ ଦାଉରୁ ଗାଁ ଓ ଚାଷଜମିକୁ ସୁରକ୍ଷା ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଏବଂ ଚାଷୀ ଜଣଙ୍କ ଦାବି ଜଣାଇଛନ୍ତି। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
