ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନାରେ ସମ୍ମାନିତ ହେଲେ ପ୍ରଧାନ ଶିକ୍ଷକ ଯୁଗଳ କିଶୋର ମାଝୀ
ଦେବଗଡ଼: ପଳସମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେହୁରିପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଯୁଗଳ କିଶୋର ମାଝୀଙ୍କ ଅବସର ଉପଲକ୍ଷେ ବିଦ୍ୟାଳୟ ପରିସରରେ ଏକ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା।
ଶ୍ରୀ ମାଝୀ ଜଣେ ଦକ୍ଷ, ସଚ୍ଚୋଟ, ମିଷ୍ଟଭାଷୀ ଓ ଛାତ୍ରପ୍ରେମୀ ଶିକ୍ଷକ ଭାବେ ପଳସମା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ସୁପରିଚିତ ଥିଲେ। ତାଙ୍କର ଦୀର୍ଘ ଶିକ୍ଷକତା ଜୀବନରେ ସେ ଶିକ୍ଷାର ବିକାଶ ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ଉନ୍ନତି ପାଇଁ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି।
ଏହି ଅବସରରେ ଗ୍ରାମବାସୀ, ବିଦ୍ୟାଳୟର ସହକର୍ମୀ, ପୂର୍ବତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। ସଭାରେ ବକ୍ତାମାନେ ଶ୍ରୀ ମାଝୀଙ୍କ ଆଦର୍ଶ ଶିକ୍ଷକତା, ସରଳ ଜୀବନଶୈଳୀ ଏବଂ ନିଷ୍ଠାପୂର୍ଣ୍ଣ କର୍ମମୟ ଜୀବନର ଭୂୟସୀ ପ୍ରଶଂସା କରିଥିଲେ।
ସମ୍ବର୍ଦ୍ଧନା ସଭା ଶେଷରେ ଗ୍ରାମବାସୀମାନେ ଡିଜେ, ଢୋଲ ଓ ବାଜାର ତାଳେ ଆନନ୍ଦ ଉଲ୍ଲାସର ସହ ଏକ ଭବ୍ୟ ଶୋଭାଯାତ୍ରା କରି ଶ୍ରୀ ମାଝୀଙ୍କୁ ତାଙ୍କ ଜୟନ୍ତାପାଲିସ୍ଥିତ ବାସଭବନ ପର୍ଯ୍ୟନ୍ତ ସସମ୍ମାନରେ ପାଛୋଟି ନେଇଥିଲେ। ଏହି ଭାବପ୍ରବଣ ବିଦାୟ ଉତ୍ସବ ସମସ୍ତଙ୍କ ମନରେ ଚିରସ୍ମରଣୀୟ ହୋଇ ରହିବ।
