ମଙ୍ଗୁଲି ଗ୍ରାମରେ ନବନିର୍ମିତ ଅଙ୍ଗନୱାଡି ଗୃହ ଉଦ୍ଘାଟିତ।ଦୀର୍ଘ ଦିନର ସମସ୍ୟାର ଅନ୍ତ,
ବନ୍ତ ବ୍ଳକ (ମା କିଣ୍ଡଧଡ଼ା ) –: (ନିପ୍ର) ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଛୟାଳସିଂହ ପଞ୍ଚାୟତର ମଙ୍ଗୁଲି ଗ୍ରାମରେ ନବନିର୍ମିତ ଅଙ୍ଗନୱାଡି କେନ୍ଦ୍ର ଗୃହକୁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସତ୍ୟଭାମା ଧଳ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଆଇ ସି ଡି ଏସ ସୁପରଭାଇଜର ରୁକ୍ମଣୀ ମହାଳିକ,ସାଂସଦ ପ୍ରତିନିଧି ସନ୍ତୋଷ ନାୟକ,ଅଙ୍ଗନୱାଡି କର୍ମୀ ସାବିତ୍ରୀ ନାୟକ, ଅପର୍ଣ୍ଣା ନାୟକ, ସୁକାନ୍ତି ଲତା ଜେନା, ସୁମିତ୍ରା ଭୂୟା, ରାଜଶ୍ରୀ ରାଣୀ ରାଉତ, ସୁର୍ଣ୍ଣଲତା ପାତ୍ର,ୱାର୍ଡ ସଭ୍ୟା ବୀଣାପାଣି ଘଡ଼ାଇ, ଯୁବ ଉଦ୍ୟଗୀ ପ୍ରଶାନ୍ତ କୁମାର ରାଉତ,ଯୁବ ସମାଜସେବୀ ଭବାନୀ ଶଙ୍କର ବିଶ୍ୱାଳ, ରତିକାନ୍ତ ରାଉତ ସମେତ ଗ୍ରାମର ବହୁ ବିଶିଷ୍ଟ ବ୍ୟକ୍ତି, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା, ଆଶାକର୍ମୀ, ଅଭିଭାବକ, ଅଙ୍ଗନବାଡି ଛାତ୍ର ଓ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଦୀର୍ଘ ବର୍ଷ ଧରି ମଙ୍ଗୁଲି ଗ୍ରାମରେ ଏକ ସ୍ଥାୟୀ ଅଙ୍ଗନୱାଡି ଗୃହର ଅଭାବ ଯୋଗୁଁ ଶିଶୁମାନଙ୍କ ପ୍ରାକ୍-ପ୍ରାଥମିକ ଶିକ୍ଷା, ପୁଷ୍ଟିକର ଖାଦ୍ୟ ବଣ୍ଟନ ଏବଂ ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କୁ ସରକାରୀ ସେବା ପ୍ରଦାନରେ ବିଭିନ୍ନ ଅସୁବିଧା ଦେଖାଦେଉଥିଲା। ନୂତନ ଗୃହ ନିର୍ମାଣ ଫଳରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇଥିବାରୁ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି। ପ୍ରାରମ୍ଭରେ ପୂଜାରୀ ରମାକାନ୍ତ ପଣ୍ଡା ସମସ୍ତ ପୂଜା କାର୍ଯ୍ୟ ସମାପନ ପରେ ଶ୍ରୀ ଫଳ ଭାଙ୍ଗି ଫିତା କାଟି ସ୍ଥାନୀୟ ସରପଞ୍ଚ ଏହି ନୂତନ ଗୃହକୁ ଉଦଘାଟନ କରିଥିଲେ।
ଉଦ୍ଘାଟନୀ ସମାରୋହରେ ସରପଞ୍ଚ ଶ୍ରୀମତୀ ସତ୍ୟଭାମା ଧଳ କହିଥିଲେ ଯେ, ଶିଶୁମାନଙ୍କ ସର୍ବାଙ୍ଗୀଣ ବିକାଶ, ସୁସ୍ଥ ପରିବେଶରେ ପ୍ରାକ୍-ପ୍ରାଥମିକ ଶିକ୍ଷା ଓ ମାତୃ-ଶିଶୁ କଲ୍ୟାଣକୁ ଦୃଷ୍ଟିରେ ରଖି ଏହି ଅଙ୍ଗନୱାଡି ଗୃହ ନିର୍ମାଣ କରାଯାଇଛି। ଆଗାମୀ ଦିନରେ ମଧ୍ୟ ପଞ୍ଚାୟତର ବିଭିନ୍ନ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଜନସାଧାରଣଙ୍କ ସହଯୋଗରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିବ ବୋଲି ସେ କହିଥିଲେ।
ଗ୍ରାମବାସୀମାନେ କହିଛନ୍ତି ଯେ, ବହୁ ବର୍ଷ ଧରି ଅଙ୍ଗନୱାଡି କେନ୍ଦ୍ର ପାଇଁ ସ୍ଥାୟୀ ଗୃହ ନିର୍ମାଣ ଦାବି କରାଯାଉଥିଲା। ଶେଷରେ ସେହି ଦାବି ପୂରଣ ହୋଇଥିବାରୁ ଗ୍ରାମର ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାମାନେ ବିଶେଷ ଭାବେ ଉପକୃତ ହେବେ। ଏହା ସହ ଶିଶୁମାନେ ଏକ ସୁରକ୍ଷିତ ଓ ସୁବିଧାଜନକ ପରିବେଶରେ ପାଠପଢ଼ା ହୋଇପାରିବ । ଶେଷରେ ଉପସ୍ଥିତ ଅତିଥିମାନେ ନୂତନ ଗୃହ ପରିଦର୍ଶନ କରି ଏହାର ସଠିକ୍ ରକ୍ଷଣାବେକ୍ଷଣ ସହ ସରକାରୀ ଯୋଜନାର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଆହ୍ୱାନ ଜଣାଇଥିଲେ। ନୂତନ ଅଙ୍ଗନୱାଡି ଗୃହ ମଙ୍ଗୁଲି ଗ୍ରାମର ଶିଶୁ ବିକାଶ ଓ ସାମାଜିକ କଲ୍ୟାଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି।ଉକ୍ତ କାର୍ଯ୍ୟକ୍ରମରେ ଜ୍ୟୋତିକିଙ୍କର ରାଉତ, ଗୁଣମଣି ଘଡ଼ାଇ, ଗଦାଧର ପରିଡା, ପିତାମ୍ବର ରାଉତ, ଦିପ୍ତୀରଂଜନ ନାୟକ, ଗୋଲକ ଘଡ଼ାଇ ପ୍ରମୁଖ ସହଯୋଗ କରିଥିଲେ।
