ସ୍ୱଶକ୍ତି ଜାଗରଣ ସେବା ଟ୍ରଷ୍ଟର ନିଆରା ପଦକ୍ଷେପ: ଗୁରୁପୂର୍ଣ୍ଣିମା ସହ ମାଗଣା ସ୍ୱାସ୍ଥ୍ୟ ଶିବିର
ବ୍ରହ୍ମପୁର; ୩୦/୦୭ : ସ୍ୱଶକ୍ତି ଜାଗରଣ ସେବା ଟ୍ରଷ୍ଟ ପକ୍ଷରୁ ବ୍ରହ୍ମପୁରର ପାଣିଗ୍ରାହୀ ପେଣ୍ଠ ସାହିସ୍ଥିତ ଶ୍ରୀଶ୍ରୀଶ୍ରୀ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଦୁଇଦିନିଆ ଗୁରୁପୂର୍ଣ୍ଣିମା ମହୋତ୍ସବ ଓ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ଏହି ମହୋତ୍ସବରେ ଯୋଗଦେଇଥିଲେ।
ଟ୍ରଷ୍ଟର ପ୍ରତିଷ୍ଠାତା ପୂଜ୍ୟ ସଦ୍ଗୁରୁଦେବ ଶ୍ରୀଶ୍ରୀ କୃଷ୍ଣ ଭାଇୟାଜୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନ ଆୟୁଷ୍ମାନ ମେଡିକୋ-୩୬୦ର ସହଯୋଗରେ ଏକ ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଡା. ଏନ୍. ସନ୍ତୋଷ କୁମାର, ଡା. ଏସ୍. ସାହିତ୍ୟା (ଦନ୍ତ ବିଶେଷଜ୍ଞ), ଡା. ପ୍ରଶାନ୍ତ କୁମାର ସାହୁ, ଅବସରପ୍ରାପ୍ତ ଚିକିତ୍ସକ ଡା. ନଳିନୀକାନ୍ତ ପାଢ଼ୀ ଏବଂ ବରିଷ୍ଠ ହୃଦ୍ରୋଗ ବିଶେଷଜ୍ଞ ଡା. ଆଦିତ୍ୟ ନାରାୟଣ ଦାସ ରୋଗୀମାନଙ୍କୁ ପରାମର୍ଶ ଓ ଚିକିତ୍ସା ସେବା ପ୍ରଦାନ କରିଥିଲେ।
ଶଙ୍କର ଚକ୍ଷୁ ଚିକିତ୍ସାଳୟର ବିଶେଷଜ୍ଞ ଦଳ ଚକ୍ଷୁ ପରୀକ୍ଷା କରି ମୋତିଆବିନ୍ଦୁ ରୋଗୀମାନଙ୍କୁ ଚିହ୍ନଟ କରିଥିଲେ। ସେମାନଙ୍କୁ ଅସ୍ତ୍ରୋପଚାର ପାଇଁ ଶମରଝୋଳ ସ୍ଥିତ ନିଜସ୍ଵ ଚିକିତ୍ସା କେନ୍ଦ୍ରକୁ ପଠାଯାଇଥିଲା। ଏହା ସହ ମଧୁମେହ, ଉଚ୍ଚ ରକ୍ତଚାପ ଓ ଅନ୍ୟାନ୍ୟ ରୋଗର ପରୀକ୍ଷା କରାଯିବା ସହ ହିତାଧିକାରୀଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା।
ଦ୍ୱିତୀୟ ଦିନ ଗୁରୁପୂଜା, ଗୁରୁଦୀକ୍ଷା ଓ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୃନ୍ଦାବନ ଧାମର ମହାମଣ୍ଡଳେଶ୍ୱର ଶ୍ରୀ ଲଳିତ ମହାରାଜ ଏବଂ ପୂଜ୍ୟ ସଦ୍ଗୁରୁଦେବ ଶ୍ରୀଶ୍ରୀ କୃଷ୍ଣ ଭାଇୟାଜୀ ଗୁରୁ-ଶିଷ୍ୟ ପରମ୍ପରାର ମହତ୍ତ୍ୱ ଓ ବ୍ୟକ୍ତିତ୍ୱ ବିକାଶରେ ଆଧ୍ୟାତ୍ମିକ ମାର୍ଗଦର୍ଶନର ଆବଶ୍ୟକତା ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ।
ଟ୍ରଷ୍ଟର ସାମାଜିକ ସେବା କାର୍ଯ୍ୟକ୍ରମ ଅନ୍ତର୍ଗତ ପୂଜ୍ୟ ସଦଗୁରୁଦେବ ଧାନମେରା ସାହି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନୂତନ ପୋଷାକ ବଣ୍ଟନ କରିଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ସନ୍ତୋଷ କୁମାର ମହାନ୍ତି, ସମୀର କୁମାର ମହାନ୍ତି, ବିଦ୍ୟାଧର ଗୌଡ଼, ଅନିଲ କୁମାର ଚୌଧୁରୀ, କାମରାଜୁ ଦାସ, ବଳରାମ ଜେନା, ଚନ୍ଦନ ସାହୁ, ଦୀପକ ପାଣିଗ୍ରାହୀ, ଗଣେଶ ପ୍ରଧାନ, ତପନ ସାହୁ, ସଙ୍ଗୀତା ମହାନ୍ତି, ଗୀତା ମହାନ୍ତି, ଅଞ୍ଜୁ ମହାନ୍ତି, ସର୍ମିଳା ସେଠୀ, ସୁନୀତା ଜେନା ଓ ପୁଷ୍ପାଞ୍ଜଳି ପ୍ରଧାନଙ୍କ ସମେତ ଟ୍ରଷ୍ଟର ସଦସ୍ୟ ଓ ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ।
ଶେଷରେ ଆମନ୍ତ୍ରିତ କଳାକାରମାନଙ୍କ ଦ୍ୱାରା ଭଜନ ଓ କୀର୍ତ୍ତନ ପରିବେଷଣ କରାଯାଇଥିଲା। ପରେ ହଜାର ହଜାର ଭକ୍ତଙ୍କୁ ମହାପ୍ରସାଦ ବଣ୍ଟନ କରାଯାଇଥିଲା।
