*ଲୋୟର ଇନ୍ଦ୍ର ଜଳଭଣ୍ଡାରରୁ ଆଜି ଅପରାହ୍ନ ୪ଟାରୁ ପ୍ରଥମ ବନ୍ୟାଜଳ ନିଷ୍କାସନ : ନଦୀକୂଳବାସୀଙ୍କୁ ସତର୍କ ରହିବାକୁ ପ୍ରଶାସନର ପରାମର୍ଶ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୨୭/୦୭:
ଲଗାଣ ବର୍ଷା ଯୋଗୁଁ ଲୋୟର ଇନ୍ଦ୍ର ଜଳଭଣ୍ଡାରର ଉପରମୁଣ୍ଡ ଅଞ୍ଚଳରୁ ଜଳର ପ୍ରବାହ ବୃଦ୍ଧି ପାଉଥିବାରୁ ଜଳଭଣ୍ଡାରର ଜଳସ୍ତର ନିୟନ୍ତ୍ରଣ ପାଇଁ ଆଜି ତା. ୨୭.୦୭.୨୦୨୬ ଅପରାହ୍ନ ୪ଟାରୁ ପ୍ରଥମ ପର୍ଯ୍ୟାୟରେ ବନ୍ୟାଜଳ ନିଷ୍କାସନ କରାଯିବ। ଏ ସମ୍ପର୍କରେ ଲୋୟର ଇନ୍ଦ୍ର କେନାଲ ଡିଭିଜନ, ଖଡ଼ିଆଳ ଅଧିକ୍ଷଣ ଯନ୍ତ୍ରୀଙ୍କ ପକ୍ଷରୁ ଏକ ପତ୍ର ଜରିଆରେ ସୂଚନା ଦିଆଯାଇଛି।
ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଜଳଭଣ୍ଡାରକୁ ଆସୁଥିବା ସମ୍ଭାବ୍ୟ ଜଳପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସୁରକ୍ଷାମୂଳକ ବ୍ୟବସ୍ଥା ଓ ପ୍ରଚଳିତ ନିର୍ଦ୍ଦେଶାବଳୀ ଅନୁସରଣ କରି ପର୍ଯ୍ୟାୟକ୍ରମେ ବନ୍ୟାଜଳ ନିଷ୍କାସନ କରାଯିବ।
ଜିଲ୍ଲା ପ୍ରଶାସନ ପକ୍ଷରୁ ନଦୀର ତଳମୁଣ୍ଡ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ନଦୀକୂଳକୁ ଅନାବଶ୍ୟକ ଯିବା, ନଦୀ ଅତିକ୍ରମ କରିବା, ନଦୀରେ ଗାଧୋଇବା, ମାଛ ଧରିବା କିମ୍ବା ଅନ୍ୟ କୌଣସି କାର୍ଯ୍ୟ କରିବାରୁ ବିରତ ରହିବାକୁ ଅନୁରୋଧ କରାଯାଇଛି।
ଜଳଭଣ୍ଡାରର ସ୍ଥିତି ଓ ଜଳନିଷ୍କାସନ ପ୍ରକ୍ରିୟା ଉପରେ ଜଳସମ୍ପଦ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଇଥିବାବେଳେ, ଆବଶ୍ୟକତା ଅନୁଯାୟୀ ପରବର୍ତ୍ତୀ ସୂଚନା ଜନସାଧାରଣଙ୍କୁ ଅବଗତ କରାଯିବ।
