ନିଟ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ବିଜେପିର ପ୍ରତିବାଦ, ରାହୁଲ ଓ ନବୀନଙ୍କ କୁଶପୁତ୍ତଳିକା ଦାହ
ବାଲେଶ୍ୱର: ନିଟ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ରାଜନୀତି କରୁଥିବା ଅଭିଯୋଗ କରି ଆଜି ବାଲେଶ୍ୱର ସଦର ବିଜେପି ପକ୍ଷରୁ ସହରର ଫାଣ୍ଡିଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରି ଦଳୀୟ କର୍ମୀମାନେ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ ଜଣାଇଥିଲେ। ପ୍ରତିବାଦ ସଭାରେ ବକ୍ତାମାନେ କହିଥିଲେ ଯେ, ନିଟ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ସରକାର ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି ଏବଂ ଆଇନ ଅନୁଯାୟୀ ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଳ କରି ଦେଶର ଶିକ୍ଷା ବ୍ୟବସ୍ଥା, ସାମ୍ବିଧାନିକ ଅନୁଷ୍ଠାନ ଓ ଦେଶର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବା ଉଦ୍ଦେଶ୍ୟରେ ଅପପ୍ରଚାର କରିବା କେବେ ଗ୍ରହଣୀୟ ନୁହେଁ। ସଦର ବିଧାୟକ ମାନସ ଦତ୍ତ କହିଥିଲେ ଯେ, ରାଜନୈତିକ ସ୍ୱାର୍ଥ ପାଇଁ ଯୁବପିଢ଼ିଙ୍କ ଆଶା ଓ ବିଶ୍ୱାସ ସହ ଖେଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ହୀନ ରାଜନୀତି କରି ବିରୋଧୀ ଦଳ ୨୦୧୪, ୨୦୧୯ କିମ୍ବା ୨୦୨୪ ପରି ୨୦୫୦ ସୁଦ୍ଧା ମଧ୍ୟ ବିଜେପିକୁ କ୍ଷମତାରୁ ହଟାଇ ପାରିବେ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ପ୍ରତିବାଦ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ବିଜେପି କର୍ମୀ ଓ ନେତୃବୃନ୍ଦ ଉପସ୍ଥିତ ରହି ସ୍ଲୋଗାନ ଦେବା ସହ ବିରୋଧୀ ଦଳର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଥିଲେ। ବିଜେପି ପକ୍ଷରୁ ଦାବି କରାଯାଇଥିଲା ଯେ, ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସର୍ବୋପରି ରଖି ଦୋଷୀଙ୍କ ବିରୋଧରେ ନିରପେକ୍ଷ ତଦନ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ
