*୫ ବର୍ଷ ଧରି ବିଦ୍ୟୁତ ବିଲ୍ ସମସ୍ୟାରେ ହନ୍ତସନ୍ତ ବନ ରାଉତ, ପ୍ରଶାସନର ହସ୍ତକ୍ଷେପ ଦାବି**
ତାଳଚେର:୨୧.୭.୨୬(ନିପ୍ର) ଭଞ୍ଜଦୂତ ଖବର କାଗଜ:ଅନୁଗୋଳ ଜିଲ୍ଲା ତାଳଚେର ପୌର ପରିଷଦର ବ୍ରାହ୍ମଣ ସାଶନ ୨ ନମ୍ବର ୱାର୍ଡର ବାସିନ୍ଦା ବନ ରାଉତ ବିଦ୍ୟୁତ ବିଲ୍ ସମସ୍ୟାକୁ ନେଇ ଦୀର୍ଘ ୫ ବର୍ଷ ଧରି ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି।
ତାଙ୍କ କହିବା ଅନୁସାରେ, ୨୦୧୯ ମସିହାରେ ସେ ବିଦ୍ୟୁତ ସଂଯୋଗ ପାଇଥିଲେ। କିନ୍ତୁ ପ୍ରଥମ ଏକ ବର୍ଷ ପର୍ଯ୍ୟନ୍ତ କୌଣସି ବିଲ୍ ଆସିନଥିଲା। ପରେ ହଠାତ୍ ପ୍ରାୟ ୭ ହଜାର ଟଙ୍କାର ବିଲ୍ ଆସିଥିଲା। ଏହାର ଦୁଇ ମାସ ପରେ ପୁଣି ପ୍ରାୟ ୩୪ ହଜାର ଟଙ୍କାର ବିଲ୍ ଆସିଥିବା ସେ ଅଭିଯୋଗ କରିଛନ୍ତି।
ଏହି ସମସ୍ୟାର ସମାଧାନ ପାଇଁ ସେ ବାରମ୍ବାର ସମ୍ପୃକ୍ତ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ମିଳିନଥିବା ତାଙ୍କ ଦାବି। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, କର୍ମଚାରୀମାନେ ଲାଇନ୍ କାଟିଦେବାକୁ ଧମକ ଦେଇ ଟଙ୍କା ନେଉଛନ୍ତି।
ଏହି ଅଭିଯୋଗର ସତ୍ୟତା ଓ ପ୍ରକୃତ କାରଣ ତଦନ୍ତ କରି ସମସ୍ୟାର ସମାଧାନ କରିବା ସହ ଦାୟୀ ପକ୍ଷ ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
