କୋରାପୁଟ, ୧୪ ଜୁଲାଇ: କୋରାପୁଟ ଜିଲ୍ଲାର ୨୦୨୬-୨୭ ଖରିଫ ରଣନୀତି କମିଟି ବୈଠକ ଆଜି ଡିଏନକେ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ କୋରାପୁଟ ଶ୍ରୀ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କୋରାପୁଟ ଏହି ବୈଠକର ଆବାହକ ଥିଲେ।
ବୈଠକରେ ପିଏ ଆଇଟିଡିଏ କୋରାପୁଟ ଶ୍ରୀମତୀ ସ୍ନେହପ୍ରଭା ମାଝୀ, ପିଏ ଆଇଟିଡିଏ ଜୟପୁର ଶ୍ରୀମତୀ ତୃପ୍ତି ବରାଇ, ଜୟପୁରର ଉପ-ନିବନ୍ଧକ (ସମବାୟ ସମିତି), ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍), ଉପ-ନିର୍ଦ୍ଦେଶକ (ଉଦ୍ୟାନ କୃଷି), ଜିଲ୍ଲା ପରିକଳ୍ପନା ଓ ପର୍ଯ୍ୟବେକ୍ଷଣ ୟୁନିଟ୍ର ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ, ନିର୍ବାହୀ ଯନ୍ତ୍ରୀ, ଆର୍ଆର୍ଟିଟିଏସ୍, ସେମିଳିଗୁଡ଼ାର ଏଡିଆର୍, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, କୋରାପୁଟ, କୋରାପୁଟ, ନନ୍ଦପୁର, ଜୟପୁର ଓ ନାରାୟଣପାଟଣାର କୃଷି ଜିଲ୍ଲା ଅଧିକାରୀଙ୍କ ସମେତ ସମସ୍ତ ବ୍ଲକସ୍ତରୀୟ କୃଷି ଓ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।
ବୈଠକରେ ଏଲ୍ ନିନୋ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ଖରିଫ ଋତୁରେ ଯାନ୍ତ୍ରିକ ପ୍ରତ୍ୟକ୍ଷ ଧାନ ବୁଣା (Mechanised Direct Seeded Rice) ସହ କମ୍ ଜଳ ଆବଶ୍ୟକ କରୁଥିବା ମାଣ୍ଡିଆ, ଡାଲି ଓ ତୈଳବୀଜ ଫସଲର ଚାଷକୁ ପ୍ରୋତ୍ସାହିତ କରିବା ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱାରୋପ କରିଥିଲେ।
ପିଏମ୍-କିଷାନ ଯୋଜନା ଅଧୀନରେ ବକେୟା ଥିବା e-KYC, NPCI Mapping ଏବଂ Land Seeding କାର୍ଯ୍ୟକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ କୋରାପୁଟର ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଖରିଫ ଋତୁରେ ସାରର ଚାହିଦା ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ମାର୍କଫେଡ୍ ପକ୍ଷରୁ ସମସ୍ତ LAMPCSକୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଣ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବୋଇପରିଗୁଡ଼ା ବ୍ଲକରେ ବାଦାମ କ୍ରୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମାର୍କଫେଡ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିଲା।
ଏହି ଅବସରରେ କୃଷି ଓ ଆନୁଷଙ୍ଗିକ ବିଭାଗର ବିଭିନ୍ନ ଯୋଜନାର ସଫଳତା, ଚଳିତ ବର୍ଷର ଲକ୍ଷ୍ୟ, କାର୍ଯ୍ୟଯୋଜନା ଏବଂ କାର୍ଯ୍ୟକାରିତାର ସମୀକ୍ଷା କରାଯାଇଥିଲା।
ଉଦ୍ୟାନ କୃଷି ବିଭାଗକୁ ଓଏସ୍ଏସ୍ସିରୁ ବିହନ ପ୍ରାପ୍ତିର ଏକ ସପ୍ତାହ ମଧ୍ୟରେ ଆଳୁ ବୁଣା କାର୍ଯ୍ୟ ସମ୍ପନ୍ନ କରିବା ସହିତ ଛତୁ ଚାଷ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ମଧ୍ୟ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ
