ଅଚିହ୍ନା ଶବ ଚିହ୍ନିବାରେ ବିଫଳ ହେଉଛି କଟକ ପୋଲିସ ।
ଭୁବନେଶ୍ବର(ନି.ପ୍ର): କଟକ ସହରର ବିଭିନ୍ନ ଅଞ୍ଚଳରୁ ୧୦ ବର୍ଷ ଭିତରେ ମିଳିଥିବା ୩୧୪ ମୃତଦେହର ଏ ଯାଏ ମିଳିପାରିନି ପ୍ରକୃତ ପରିଚୟ। ଶବ ଚିହ୍ନିବା ନିମନ୍ତେ ସରକାରଙ୍କ ବହୁ ବ୍ୟବସ୍ଥା ଥାଇ ମଧ୍ୟ ପୋଲିସ କିଭଳି ବିଫଳ ହେଉଛି ତାହା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି?? କିଛି ସମୟ ମଧ୍ୟରେ ସାରା ରାଜ୍ୟର ଥାନା ଗୁଡିକୁ ହ୍ୱାଟ୍ସ୍ଆପ୍ ଗ୍ରୁପ୍ରେ ଫଟୋ ସହ ତଥ୍ୟ ପହଞ୍ଚି ଯାଉଛି । ଫିଙ୍ଗର୍ ପ୍ରିଣ୍ଟ୍ ରିଡ୍, ଚକ୍ଷୁର ରେଟିନା ସ୍କାନ୍ ଓ ଡିଏନ୍ଏ ଟେଷ୍ଟ୍ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ଓ ନିଖୋଜ ବ୍ୟକ୍ତିଙ୍କ ଫଟୋକୁ ମିଳାଇ ସ୍କାନ୍ କରିବା ପାଇଁ ବ୍ୟବସ୍ଥା ବି ମଧ୍ୟ ରହିଛି । ଏତେ ସବୁ ସୁବିଧା ସତ୍ତ୍ୱେ ଅପରିଚିତ ମୃତଦେହକୁ ପୁଲିସ ଚିହ୍ନଟ କିପରି କରିପାରୁନି ସେ ନେଇ ପୋଲିସ ବିଭାଗ ଉପରେ ସନ୍ଦେହ ପ୍ରକାଶ ପାଇଛି। କଟକ ପୋଲିସ ମୃତଦେହ କେଉଁ ସ୍ଥାନରେ ମିଳିଲେ ଅପମୃତ୍ୟୁ ମାମଲା ରୁଜୁ କରି ଓ ବ୍ୟବଚ୍ଛେଦ କରି ହାତ ଝାଡ଼ି ବସିଯାଇ ତଦନ୍ତ ଜାରିରହିଛି କହି ଖସି ଯାଉଛି। ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଲେ ବି ତତ୍ପରତା ଦେଖାଯାଉନାହଁ । ଫଳସ୍ୱରୂପ କଟକରେ ଗଲା ୧୦ ବର୍ଷରେ ମିଳିଥିବା ୩୧୪ଟି ଅଜଣା ମୃତଦେହର ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ତଦନ୍ତରେ ଏହା ପୁଲିସର ବଡ଼ ବିଫଳତା ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି । ୨୦୧୭ ଅଗଷ୍ଟ ମାସରେ ମଧୁପାଟଣା ଥାନା ଅଧୀନ ସରକାରୀ ପ୍ରେସ୍ ସ୍କୁଲ୍ କ୍ୟାମ୍ପସ୍ କଡ଼ ପରିତ୍ୟକ୍ତ ସ୍ଥାନରେ ଅଖା ଭିତରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେହିପରି ତା ପରବର୍ଷ ଫେବ୍ରୁଆରୀ ୩ରେ ତାଳଦଣ୍ଡା କେନାଲ୍ର ଓଏମ୍ପି ନିକଟ ବ୍ରିଜ୍ ତଳୁ ଜଣେ ୪୫ ବର୍ଷୀୟ ଯୁବକଙ୍କ ମୃତଦେହ ହାତଗୋଡ଼ ବନ୍ଧା ଅବସ୍ଥାରେ ମିଳିଥିଲା । ୨୦୧୯ ଜୁଲାଇ ତୃତୀୟ ସପ୍ତାହରେ ରାଣୀହାଟ ପୋଲ ନିକଟ ଏକ ଦୋକାନ ସାମ୍ନାରୁ ରକ୍ତାକ୍ତ ଅବସ୍ଥାରେ ଏକ ମୃତଦେହ ମିଳିଥିଲା । ଏହି ତିନିଟି ଘଟଣା କେବଳ ପୋଲିସ ବିଭଗ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହା ବାଦ୍ ପ୍ରତି ମାସରେ ୨ରୁ ୩ଟି ଅପରିଚିତ ମୃତଦେହ କଟକ ସହରାଞ୍ଚଳ ପୋଲିସ ହେଉ ବା ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ହେଉ ମହାନଦୀ, କାଠଯୋଡ଼ି, ତାଳଦଣ୍ଡା କେନାଲ୍ ଓ ପୁରୀ ମେନ୍ କେନାଲ୍ ରୁ ଅଜଣା ମୃତଦେହ ମିଳୁଛି ହେଲେ ଚିହ୍ନଟ ପ୍ରକ୍ରିୟା ଘଟଣା କାଗଜ, କଲମରେ ଅଟକି ଯାଉଛି। ସେହିପରି ଜାତୀୟ ରାଜପଥ କଡ଼, ବସ୍ଷ୍ଟାଣ୍ଡ୍ ଓ ରେଳଷ୍ଟେସନ୍ ନିକଟରୁ ଅପରିଚିତଙ୍କ ମୃତଦେହ ମିଳିବା ଏକ ସାଧାରଣ ଘଟଣା ଏବେ ହୋଇଗଲାଣି, ହେଲେ ସବୁଥର ସେହି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଜବତ ମୃତଦେହ ଗୁଡିକ ବ୍ୟବଚ୍ଛେଦ ପରେ ପରିଚୟ କିଭଳି ମିଳିବ ତାକୁ ତଦନ୍ତକାରୀ ପୋଲିସ ଗୁରୁତ୍ଵ ଦେଉନାହାନ୍ତି ବୋଲି ସାଧାରଣରେଆଲୋଚନାହେଉଛି। ଯଦି କିଏ ପଚାରିଲେ ସମାନ ଉତ୍ତର ଆସେ ଯେ ତଥ୍ୟ ବିଭିନ୍ନ ଥାନାକୁ ପ୍ରଦାନ କରାଯାଇଛି ଓ ଏଯାବତ କିଛି ସୂଚନା ଆମର ହସ୍ତଗତ ହୋଇ ନାହିଁ ବୋଲି। କିନ୍ତୁ ମୃତଦେହ ଜବତ କରିବା ଘଟଣାକୁ ୪ ଦିନ ପୂରିବା ମାତ୍ରେ ତାହାର ସତ୍କାର କରିଦେଇ ତଦନ୍ତ ଘଟଣା କୁ ଠପ କରି ଦିଆଯାଉଛି । ଆମର ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ୨୦୧୬ ପରଠୁ କଟକ ପୁଲିସ ଉଦ୍ଧାର କରିଥିବା ୧୭୧ଟି ମୃତଦେହର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନି । ସେହିପରି କଟକ ଜିଆରପି ପୋଲିସ ବିଭିନ୍ନ ରେଳ ଧାରଣା କଡ଼ରୁ ମିଳିଥିବା ୨ଶହରୁ ଉର୍ଦ୍ଧ ମୃତଦେହ ମଧ୍ୟରୁ ୧୪୩ଟି ମୃତଦେହର ପରିଚୟ ଏପର୍ଯ୍ୟନ୍ତ ଖୋଜି ପାଇପାରିନି । ଏପର୍ଯ୍ୟନ୍ତ ମୋଟ ୩୧୪ ମୃତଦେହ ଚିହ୍ନଟ ହୋଇପାରିନି । ଏହି ଦୁଇ ମାସ ଭିତରେ କାଠଯୋଡ଼ିରୁ ତିନି ଜଣ ମହିଳାଙ୍କ ମୃତଦେହ ଠାବ କରାଯାଇଥିବା ବେଳେ ଚିହ୍ନଟ ପ୍ରକ୍ରିୟାରେ ସେହି ଅବସ୍ଥା । ମହିଳାଙ୍କ ପରିଚୟ ଜାଣିବା ତ ଦୂରର କଥା, ମୃତଦେହ ସେଠାକୁ କିଭଳି ଆସିଲା ତାହା ମଧ୍ୟ ପୁଲିସ ଜାଣିପାରୁନି । ଏଭଳି ଘଟଣା ସବୁକୁ ନେଇ ଯେ କୌଣସି ଆଇନଜିବି ଉଚ୍ଚନ୍ୟାୟାଳୟ ର ଦ୍ୱାରସ୍ଥ ହେଲେ ସମସ୍ତ ଘଟଣା ପଦାକୁ ଆସିପାରନ୍ତା ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି।
