ନିଖୋଜ ସ୍କୁଲ ଛାତ୍ରଙ୍କ ମୃତଦେହ କେନାଲରୁ ଉଦ୍ଧାର
କାମାକ୍ଷାନଗର-
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ରେଙ୍ଗାଳି ବାମ ପାର୍ଶ୍ୱ କେନାଲର କାନପୁରା ଗାଁ ନିକଟରୁ ନିଖୋଜ ସ୍କୁଲ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ହେଲେ କାମାକ୍ଷାନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସପ୍ତମ ଶ୍ରେଣୀର ଛାତ୍ର ବିଷ୍ଣୁ ପ୍ରସାଦ ବରାଳ।ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ବିଷ୍ଣୁ ଗତକାଲି ସକାଳ ଠାରୁ ନିଖୋଜ ଥିଲେ। କିଛି ଦିନ ପୂର୍ବେ ବିଦ୍ୟାଳୟର ପ୍ରାର୍ଥନା ସଭାରେ ବସିବାକୁ ନେଇ ବିଷ୍ଣୁଙ୍କୁ ଗୁରୁଜୀ ଠିଆ ହେବାକୁ କହିଥିଲେ। ପରେ ଏହି ବିଷୟରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଅବଗତ କରାଇଥିଲେ। ପରିବାର ଲୋକେ ବିଷ୍ଣୁଙ୍କୁ ଗୁରୁଜୀଙ୍କୁ କ୍ଷମା ମାଗିବାକୁ କହିଥିଲେ ମାତ୍ର ସେ କୌଣସି ଭୁଲ କରିନଥିବାରୁ କ୍ଷମା ମାଗିବେ ନାହିଁ ବୋଲି କହିଥିଲେ।ଯାହାକୁ ନେଇ ବିଷ୍ଣୁ ଗତ କାଲି ସକାଳ ଠାରୁ ଘରୁ କେଉଁଆଡେ ଚାଲି ଯାଇଥିଲେ। ତେବେ ଆଜି ତାଙ୍କ ମୃତ ଦେହ କାନପୁରା ଗାଁ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲରେ ଭାସୁଥିବା ଦେଖି ସ୍ଥାନୀୟ ଲୋକ ମାନେ କାମାକ୍ଷାନଗର ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି।
କାମାକ୍ଷାନଗର ରୁ ଧର୍ମାନନ୍ଦ ସେଠି ଙ୍କ ରିପୋର୍ଟ
