ପୋଷ୍ଟ ଅଫିସ ଛକରୁ ହାଟ ବଜାର ରାସ୍ତା ମରଣଯନ୍ତା ପାଲଟିଛି।
ଜଗତସିଂହପୁର(ନି.ପ୍ର): ଜଗତସିଂହପୁର ଜାତୀୟ ରାଜପଥ ୫୫ରୁ ପୋଷ୍ଟ ଅଫିସ ଛକ ଠାରୁ ବାହାରିଥିବା ଆଳିପିଙ୍ଗଳ ରାସ୍ତାର ଅବସ୍ଥା ପୁରା ଶୋଚନୀୟ ହୋଇପଡିଛି। ଜୁନ ୩୦ ତାରିଖରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଖାଲଖମାରେ ପରିପୂର୍ଣ୍ଣ ହୋଇଥିବା ପୋଷ୍ଟ ଅଫିସ ଛକ ଠାରୁ ହାଟ ବଜାର ରାସ୍ତା ବିଭିନ୍ନ ସମସ୍ୟା ସୃଷ୍ଟି କରିଛି। ଏହି ରାସ୍ତାକୁ ବର୍ଷା ଦିନ ପୂର୍ବରୁ ମରାମତି କରିବା ପାଇଁ ପୂର୍ତ୍ତ ବିଭାଗ ବୋଧେ ଭୁଲିଯାଇଛି। ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୨ ଶହ ମିଟର ଦୂରରେ ଥିବା ଏହି ରାସ୍ତା ପ୍ରତି ବିଭାଗୀୟ ଉଦାସୀନତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଏହି ରାସ୍ତା ସହିତ ଲାଗି ରହିଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ରାସ୍ତା ମଧ୍ୟ ଖାଲଖମାରେ ପରିପୂର୍ଣ୍ଣ ହୋଇଛି। ମାତ୍ର ବିଡମ୍ବନାର ବିଷୟ ଯେ ଜିଲ୍ଲା ପ୍ରଶାସନ ରାସ୍ତା ଅବସ୍ଥା ସୁଧାରିବା ପରିବର୍ତ୍ତେ ଜବରଦଖଲ ଉଛେଦ ପାଇଁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଦୁଃଖ ଓ ପରିତାପର ବିଷୟ ଯେ ସୋମନାଥ ହାଟ ଉପରେ କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲାର ପରିବା ବ୍ୟବସାୟୀ ମାନେ ନିର୍ଭର କରୁଥିବା ସମୟରେ ରାସ୍ତାର ଦୁରାଵସ୍ଥା ଯୋଗୁଁ ଖାଉଟି ମାନେ ସମସ୍ୟାରେ ପଡୁଛନ୍ତି ଓ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ମଧ୍ୟ ଘଟୁଛି। ପ୍ରଶାସନ ପୋଷ୍ଟ ଅଫିସ ଛକ ଠାରୁ ହାଟ ବଜାର ରାସ୍ତାକୁ ଯୁଦ୍ଧକାଳୀନ ଭିକ୍ତିରେ ମରାମତି କରିବା ପାଇଁ ଓଡିଶା ଜନତା କଂଗ୍ରେସ ପାଟିର ରାଜ୍ୟ ସମ୍ପାଦକ ତପନ କୁମାର ରାଉତରାୟ ଓ ବୁଦ୍ଧିଜିବୀ ମାନଙ୍କ ପକ୍ଷରୁ ଦୃଢ ଦାବି ହୋଇଛି l
