*ଖଡ଼ିଆଳ ଅଞ୍ଚଳରେ ଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୦ ଗିରଫ, ୧୩ କୁକୁଡ଼ା ଓ ୨୧ ବାଇକ୍ ସହ ନଗଦ ଟଙ୍କା ଜବତ*
ନୂଆପଡ଼ା( ମିଖାଏଲ ନନ୍ଦ)
ତା -୧୧/୦୭:
ଖଡ଼ିଆଳ ଥାନା ଅନ୍ତର୍ଗତ ବାଦୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପଛପଟ ଆମ୍ବତୋଟାରେ ଚାଲିଥିବା ଏକ ବେଆଇନ କୁକୁଡ଼ା ଲଢ଼େଇ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି [୧୧ ଜୁଲାଇ ୨୦୨୬] । ଚଢ଼ାଉ ବେଳେ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଘଟଣାସ୍ଥଳରୁ ବହୁ ପରିମାଣର ଗାଡ଼ି, କୁକୁଡ଼ା ଓ ନଗଦ ଟଙ୍କା ଜବତ କରାଯାଇଛି ।ସୂଚନା ଅନୁଯାୟୀ, ଶନିବାର ଅପରାହ୍ନ ପ୍ରାୟ ୧ଟା ୩୦ ମିନିଟ ସମୟରେ ଖଡ଼ିଆଳ ପୋଲିସର ଏକ ପାଟ୍ରୋଲିଂ ଦଳ ସ୍ଥାନୀୟ ଅଞ୍ଚଳରେ ଗସ୍ତ କରୁଥିଲେ । ଏହି ସମୟରେ ବାଦୀ ଗ୍ରାମପଞ୍ଚାୟତ ଆମ୍ବତୋଟାରେ ଟଙ୍କା ବାଜି ଲଗାଇ ବେଆଇନ କୁକୁଡ଼ା ଲଢ଼େଇ ଚାଲିଥିବା ନେଇ ପୋଲିସକୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଖବର ପାଇ ସବ୍-ଇନ୍ସପେକ୍ଟର (ଏସ.ଆଇ) ବବିତା ମହାଭୋଇଙ୍କ ନିର୍ଦ୍ଦେଶକ୍ରମେ ଏସ.ଆଇ ଅଖିଳ ମହାଭୋଇ ଏବଂ ସଙ୍ଗରେ ଥିବା ପୋଲିସ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ ।ପୋଲିସ ଗାଡ଼ିକୁ ଦେଖି କିଛି ଜୁଆଡ଼ି କୁକୁଡ଼ା ଧରି ଫେରାର ହୋଇଯାଇଥିବା ବେଳେ, ପୋଲିସ ଦଳ ସେଠାରୁ ୧୦ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ସାନ୍ଧିବାହାଲି ଗ୍ରାମର ପଦୁ ଚରଣ ପୋଢ଼, ନୃସିଂହ ପଟେଲ, ରିତିକ ନାଏକ, ଧନମତ ବାଞ୍ଛୋର, ସତ୍ୟନାରାୟଣ ନାଏକ, ଚମ୍ପେଶ୍ୱର ପଟେଲ, ତୁଳସୀରାମ ବକ୍ସି ଏବଂ ପଦମପୁର ଗ୍ରାମର ପକ୍ଷୀରାଜ ପଟେଲ, ବଲାଙ୍ଗୀର ଜିଲ୍ଲା କାନ୍ତବାଞ୍ଜି ଥାନା ଅନ୍ତର୍ଗତ କୁକୁରାହାଟ ଗ୍ରାମର ଦିଗମ୍ବର କାନହାର ଓ ଠକପାଲି ଗ୍ରାମର ଶିଶୁ ପୋଢ଼* । ଅଭିଯୁକ୍ତମାନେ ସେଠାରେ ଟଙ୍କା ବାଜି ଲଗାଇ କୁକୁଡ଼ା ଲଢ଼େଇ ଖେଳୁଥିବା ନେଇ ନିଜର ଦୋଷ ସ୍ୱୀକାର କରିଛନ୍ତି ।ପୋଲିସ ଅପରାହ୍ନ ପ୍ରାୟ ୨ଟା ୧୮ ମିନିଟ ସମୟରେ ଘଟଣାସ୍ଥଳରୁ ନଗଦ ୪,୨୯୦ ଟଙ୍କା, ୧୯ଟି ମୋଟରସାଇକେଲ, ୧ଟି ସ୍କୁଟି, ୧ଟି ସୁପର ଏକ୍ସଏଲ୍ ମୋପେଡ୍ (ସର୍ବମୋଟ ୨୧ଟି ଗାଡ଼ି), ୯ଟି ଲକ୍ ଥିବା ମୋବାଇଲ ଫୋନ ଏବଂ ୧୩ଟି କୁକୁଡ଼ା ଜବତ କରିଛି । ଏହି ସମଗ୍ର ଜବତ ପ୍ରକ୍ରିୟାକୁ ନୂତନ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ନିୟମ ଅନୁଯାୟୀ ‘ଇ-ସାକ୍ଷ୍ୟ’ (E-Sakshya) ଆପ୍ ମାଧ୍ୟମରେ ଭିଡିଓଗ୍ରାଫି କରାଯାଇଛି । ଓଡ଼ିଶା ଜୁଆ ଆଇନ (OPG Act) ର ଧାରା ୭ ଅନୁଯାୟୀ ଏହା ଏକ ଗୁରୁତର ଅପରାଧ ହୋଇଥିବାରୁ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
