ରାଜସ୍ୱ ମନ୍ତ୍ରୀଙ୍କ ଦିନିକିଆ ବରଗଡ଼ ଗସ୍ତ : ତୋରା କନିଷ୍ଠ ମହାବିଦ୍ୟାଳୟ ଓ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟରେ ନବନିର୍ମିତ ଭିତ୍ତିଭୂମି ଉଦ୍ଘାଟନ ସହ ବିଭାଗୀୟ ଅଧିକାରୀଙ୍କ କଲେ କାର୍ଯ୍ୟ ସମୀକ୍ଷା
ବରଗଡ଼: : ୧୦.୦୭.(ନି ପ୍ର )ଆଜି ମାନ୍ୟବର ରାଜସ୍ୱ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗୀୟ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତରେ ଆସି ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍)ର ସିଏସ୍ଆର୍ ପାଣ୍ଠିରେ ବରଗଡ଼ ବ୍ଲକ ଅନ୍ତର୍ଗତ ତୋରା କନିଷ୍ଠ ମହାବିଦ୍ୟାଳୟ ଠାରେ ସମୁଦାୟ ୪୯ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ଅଡିଟୋରିୟମ୍ ଏବଂ ବାଳିକା କମନ୍ ରୁମ୍ ସହ ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ଠାରେ ୪୯,୫୩,୨୦୦ ଟଙ୍କା ବ୍ୟୟରେ ନିର୍ମିତ ନୂତନ ଶ୍ରେଣୀ କୋଠରୀ ନିର୍ମାଣର ଶୁଭ ଉଦ୍ଘାଟନ କରିଛନ୍ତି ।
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ସହ ସୁଦୃଢ଼ ଶିକ୍ଷା ଭିତ୍ତିଭୂମି ଗଠନକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ନବନିର୍ମିତ ସୁବିଧାର ସଦୁପଯୋଗ କରି ଅଧ୍ୟବସାୟ, ଶୃଙ୍ଖଳା ଓ ନିଷ୍ଠାର ସହିତ ସମସ୍ତେ ଅଧ୍ୟୟନ କରିବା ସହ ସମୃଦ୍ଧ ଓଡ଼ିଶା ଗଠନରେ ଭାଗୀଦାରୀ ହେବା । ଏତଦବ୍ୟତୀତ ଶିକ୍ଷାନୁଷ୍ଠାନଗୁଡ଼ିକର ବିକାଶରେ ଏମ୍ସିଏଲ୍ର ସିଏସ୍ଆର୍ ପଦକ୍ଷେପକୁ ସେ ପ୍ରଶଂସା କରିବା ସହ ନବନିର୍ମିତ ଭିତ୍ତିଭୂମି ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପରିବେଶକୁ ଅଧିକ ସୁଦୃଢ଼ କରିବ ବୋଲି ଆଶାବ୍ୟକ୍ତ କରିଥିଲେ ଏବଂ ସରକାରୀ ଉଦ୍ୟୋଗ ସଂସ୍ଥାମାନଙ୍କର ମିଳିତ ପ୍ରୟାସ ସାମାଜିକ ଓ ଶିକ୍ଷାଗତ ବିକାଶରେ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ, ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଏବଂ ମାନ୍ୟବର ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଭୟ ମହାବିଦ୍ୟାଳୟ ଏବଂ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ଓ ସବୁଜ ପରିବେଶ ଗଠନ ପାଇଁ ସଚେତନତାର ବାର୍ତ୍ତା ଦେବା ସହ ଏମ୍ସିଏଲ୍ର ସିଏସ୍ଆର୍ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଉନ୍ନତ ଶିକ୍ଷା ଭିତ୍ତିଭୂମି ନିର୍ମାଣ ଭବିଷ୍ୟତ ପିଢ଼ି ପାଇଁ ଏକ ମୂଲ୍ୟବାନ ବିନିଯୋଗ ବୋଲି ମତ ପ୍ରକାଶ କରିଥିଲେ ।
ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଶ୍ରିମତୀ ମାନିନୀ ଭୋଇ, ପୌରପରିଷଦ ଅଧ୍ୟକ୍ଷ୍ୟା ଶ୍ରୀମତୀ କଲ୍ପନା ମାଝୀ ଏବଂ ବରଗଡ଼ ଉପଜିଲ୍ଲାପାଳ ଶ୍ରୀ ପ୍ରସନ୍ନ କୁମାର ପାଣ୍ଡେଙ୍କ ସମେତ ବରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବର୍ଷୀୟସ ଡ଼ୁଙ୍ଗ ଡ଼ୁଙ୍ଗ, ଏମ୍ସିଏଲ୍ର ଜିଏମ୍ (ସିଏସ୍ଆର୍) ଜ୍ୟୋତିର୍ମୟ ସିହ୍ନା, ମହାବିଦ୍ୟାଳୟ ଓ ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ, ଅଧ୍ୟକ୍ଷ, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ର ବରିଷ୍ଠ ଅଧିକାରୀମାନେ ଏବଂ ବହୁ ସଂଖ୍ୟକ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।ଏହାପରେ ଅମ୍ବାପାଲି ସର୍କିଟ ହାଉସ ଠାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାର ରାଜସ୍ୱ ପ୍ରଶାସନ, ଜମି ଅଧିଗ୍ରହଣ ଏବଂ ସ୍ୱତ୍ୱଲିପି (RoR) ସମ୍ବନ୍ଧୀୟ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ଅସମ୍ପୂର୍ଣ ମାମଲାଗୁଡ଼ିକର ଶୀଘ୍ର ନିଷ୍ପତ୍ତି, ଜନସ୍ୱାର୍ଥମୂଳକ ପ୍ରକଳ୍ପଗୁଡ଼ିକ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟର ତ୍ୱରାନ୍ୱିତ ସମ୍ପାଦନ ଏବଂ ସ୍ୱତ୍ୱଲିପି ସମ୍ବନ୍ଧୀୟ ସମସ୍ୟା ଗୁଡିକର ଶୀଘ୍ର ସମାଧାନ ଉପରେ ଗୁରୁତ୍ଵର ସହ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
