ସୁସମୃଦ୍ଧ ସମାଜ ଗଠନ କ୍ଷେତ୍ରରେ କଳା କ୍ଷେତ୍ରର ଗୁରୁ ମାନଙ୍କ ବିଶେଷ ଅବଦାନ ବହନ କରେ : ବରିଷ୍ଠ କଳାକାର ମହାସଂଘ
ବ୍ରହ୍ମପୁର, ତା. ୦୫/୦୯ :
କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ ଏବଂ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ”ର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଗୁରୁଦିବସ ପାଳନୋତ୍ସବ ବ୍ରହ୍ମପୁର ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ସୋପାନରେ ଭାଲିଆଝୋଳା ଶ୍ରୀଶ୍ରୀ ମା’ ନାରାୟଣୀ ନାଟ୍ୟ ସଂଘ ପ୍ରଯୋଜିତ ତଥା ପଣ୍ଡିତ ନୀଳାଞ୍ଚଳ ମିଶ୍ର ନିର୍ଦ୍ଦେଶିତ ଲୋକ ନାଟକ ଭାରତ ଲୀଳା ପ୍ରଦର୍ଶନ ମାଧ୍ୟମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସମାଗତ ବିଭିନ୍ନ ସାଂସ୍କୃତିକ ଗୁରୁମାନଙ୍କୁ ଆପ୍ୟାୟିତ କରାଯାଇଥିଲା। କଳାପ୍ରାଣ କୈଳାସ ପାଣିଗ୍ରାହୀ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ଗୁରୁ ପୂଜନ ଉତ୍ସବ “ତସ୍ମୈଶ୍ରୀ ଗୁରବେ ନମଃ” ମହାସଂଘ କାର୍ଯ୍ୟକାରୀ ସଭାପତି ଡଃ. ବିଜୟ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ଲୋକ ନୃତ୍ୟ ଗବେଷକ ଡଃ. ବାୟାମନୁ ଚର୍ଚ୍ଚି ମୂଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ନବରଙ୍ଗପୁର ଦେଶିଆ ନାଟଗୁରୁ ସଭାପତି ପେଣ୍ଡ୍ରା ପ୍ରସାଦ ନାୟକ, ପ୍ରାକ୍ତନ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଅନିଳ କୁମାର ପାତ୍ର, ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ବରିଷ୍ଠ କଳାକାର ସଂଘ ଦ୍ୱାରା ଗୁରୁ ପୂଜନ ପରମ୍ପରାର ଆୟମାରମ୍ଭ କରିଥିଲେ ତାହା ଆଜି ସବୁ ସାଂସ୍କୃତିକ ପ୍ରତିଷ୍ଠାନକୁ ପ୍ରଭାବିତ କରିଥିବା ପ୍ରକାଶ କରିଥିଲେ। ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ସୁନ୍ଦର ସୃଷ୍ଠୁ ସମାଜ ଗଠନ କ୍ଷେତ୍ରରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଗୁରୁମାନଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ ହେତୁ ସେମାନେ ଆମର ଚୀର ନମସ୍ୟ ବୋଲି ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରକାଶ କରିଥିଲେ। ଏହି ଅବସରରେ ସର୍ବଶ୍ରୀ ଅଭିରାମ ରାଉଳ, ଦେବରାଜ ମଣ୍ଡଳ, ରୀତା ପ୍ରଧାନ, ମୃତ୍ୟୁଞ୍ଜୟ ତ୍ରିପାଠୀ, ଶ୍ରୀମନ୍ତ ଗୌଡ଼, ପିଲି ପାଞ୍ଚାୟିତ୍ରୀ, ଆର ବାସବ ରାଜୁ, ଦୈତାରୀ ଦିଶାରୀ, ରମେଶ ଚନ୍ଦ୍ର ନାହାକ, ସୁରେନ୍ଦ୍ର ନାଥ ପାଣି, ନୀଳାଞ୍ଚଳ ମିଶ୍ର, ଜନାର୍ଦ୍ଦନ ପ୍ରଧାନ, ଏ. ରାଜେନ୍ଦ୍ର ପାତ୍ର, ସବାସେନ ନାୟକ ପ୍ରମୁଖ ପଞ୍ଚଚାଳିଶ ଜଣ ଗୁରୁଙ୍କୁ ବିଧିବତ ସମ୍ମାନ ପ୍ରଦର୍ଶନ ସହ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧିତ କରାଯାଇଥିଲା। ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ବନଜ କୁମାର ସାହୁ, ଅରୁଣ ସାହୁ, ବଳଦେବ ସାହୁ, ମହେନ୍ଦ୍ର କୁମାର ସାହୁ, ପ୍ରଦୀପ କୁମାର ସାହୁ, ବାବୁ ନାୟକ, ଚନ୍ଦ୍ରଭାନୁ ନାହାକ, ଚିତ୍ତ ରଂଜନ ଦଳେଇ, ବି. ପ୍ରସାଦ ରାଓ, ବନ୍ଦନା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ସଂଘ କୋଷାଧ୍ୟକ୍ଷ ଅଭିରାମ ରାଉଳ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
