ସୋର(ଜ୍ୟୋତି ପ୍ରକାଶ ଦୀକ୍ଷିତ) :ସୋର ରେ କଲେରା ନେଇଛି ପ୍ରଥମ ମୁଣ୍ଡ। ସୋର ବ୍ଲକ ଶରଶଙ୍ଖ ପଞ୍ଚାୟତ ଶରଶଙ୍ଖ ଗ୍ରାମର ହେମନ୍ତ ମହାପାତ୍ରଙ୍କ ସ୍ତ୍ରୀ ମାମିନୀ ମହାପାତ୍ର ( ୩୭) ଙ୍କର ଝାଡ଼ାବାନ୍ତିରେ ଜୀବନ ଚାଲିଯାଇଛି। ଘଟଣାରୁ ପ୍ରକାଶ ଗତକାଲି ମାମିନୀଙ୍କ ପେଟରେ ଯନ୍ତ୍ରଣା ହେବାରୁ ଝାଡ଼ା ଯାଇଥିଲେ, ମାତ୍ର ବାରମ୍ବାର ଝାଡ଼ା ସହ ବାନ୍ତି ହେବାରୁ ଘର ଲୋକେ ସୋର ଡାକ୍ତରଖାନାକୁ ନେଇ ଆସିଥିଲେ। ଡାକ୍ତର ରୋଗୀଙ୍କ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ବାଲେଶ୍ୱର ମେଡିକାଲ କଲେଜକୁ ପଠାଇ ଦେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମାମିନୀଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ତାଙ୍କ ମୃତ ଦେହକୁ ସରଶଙ୍ଖ ସ୍ଥିତ ବାସଭବନକୁ ନେଇ ଆସିଥିଲେ। ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ବର୍ତ୍ତମାନ ହଇଜା ରୋଗ ମହାମାରୀର ରୂପ ନେଇଥିବା ବେଳେ ସୋର ଅଂଚଳରେ ଗୋଟିଏ ଦିନରେ ଝାଡ଼ାବାନ୍ତିରେ ଜଣକ ମୃତ୍ୟୁ ସ୍ୱାସ୍ଥ୍ୟ ସେବା ପ୍ରତି ସତର୍କ ଘଣ୍ଟିର ସୂଚନା ହୋଇଥିଲା। ଏହି ଘଟଣା ପାଇଁ ଆଜି ମଧ୍ୟାହ୍ନରେ ବାଲେଶ୍ୱର ଜିଲ୍ଲା ଜନ ସ୍ୱାସ୍ଥ୍ୟ ବିଭାଗ ଅଧିକାରିଣୀ ଡାକ୍ତର ସୁମିତ୍ରା ଦେ, ମହାମାରୀ ରୋଗ ବିଶେଷଜ୍ଞ ଡାକ୍ତର ଅରୂପ ଅଭିଷେକ, ସୋର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଲକ୍ଷ୍ମୀ ପ୍ରସାଦ ରାଉତ, ମାଇକ୍ରୋ ଟେକନିସିଆନ ମାନସୀ ମହନ୍ତ, ଲାବୋରେଟୋରୀ ଟେକ୍ନିସିଆନ ରାଜୀବ ଲୋଚନ ଭୂୟାଁ,ବିପିଏମଓ ମୁକ୍ତିକାନ୍ତ ପାଣିଗ୍ରାହୀ, ଏଏନମ କମଳିନୀ ମହାପାତ୍ର, ସ୍ଥାନୀୟ ସରପଞ୍ଚ କରୁଣାକର ଖୁଣ୍ଟିଆ ଉପସ୍ଥିତ ରହି ମୃତ୍ୟୁ ବ୍ୟକ୍ତିଙ୍କ ଘରୁ ଜଳ ନମୁନା ସଂଗ୍ରହ କରିଥିଲେ। ଡାକ୍ତର ଦେଙ୍କୁ ପଚାରିବାରୁ ସେ କହିଥିଲେ ମାମିନୀଙ୍କର ପୂର୍ବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ସହ ଗତକାଲି ମାମିନୀଙ୍କର ଝାଡ଼ାବାନ୍ତି ହେବା ପରେ ସୋର ଡାକ୍ତରଖାନା ରେ ସଠିକ ଚିକିତ୍ସା ହେବା ସହିତ ଅନ୍ୟାନ୍ୟ ରୋଗ ପାଇଁ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତର ହେବା ସହ ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିବାର ସୂଚନା ଦେଇଥିଲେ।
