ଦିବ୍ୟ ଜୀବନ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଓ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ତାଳଚେର:୩୦/୬(ଭଞ୍ଜଦୂତ)ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ କାଣ୍ଡଶର ଗ୍ରାମରେ ଥିବା ଦିବ୍ୟ ଜୀବନ ହାଇସ୍କୁଲ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ଜନକ ସାହୁଙ୍କ ଅବସର ଉପଲକ୍ଷେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଭାବଗମ୍ଭୀର ପରିବେଶରେ ଅନୁଷ୍ଠିତ ହୋଇଥିଲା।ଉତ୍ସବରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ, ପରିଚାଳନା କମିଟିର ସଦସ୍ୟ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି, ବିଭିନ୍ନ ସାମାଜିକ ଅନୁଷ୍ଠାନ ଉପସ୍ଥିତ ରହି ଉଭୟଙ୍କର ଦୀର୍ଘଦିନର ନିଷ୍ଠାପୂର୍ଣ୍ଣ ସେବା ଓ ବିଦ୍ୟାଳୟର ବିକାଶରେ ସେମାନଙ୍କର ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ।ଏହି ଅବସରରେ ସେମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ସ୍ମାରକ ଏବଂ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ବକ୍ତାମାନେ କହିଥିଲେ ଯେ ପ୍ରଧାନ ଶିକ୍ଷକଙ୍କ ନେତୃତ୍ୱ ଏବଂ ଶ୍ରୀ ଜନକ ସାହୁଙ୍କ କର୍ମନିଷ୍ଠା ବିଦ୍ୟାଳୟ ପାଇଁ ସଦା ସ୍ମରଣୀୟ ହୋଇ ରହିବ।ଶେଷରେ ବିଦାୟୀ ଅତିଥିମାନେ ନିଜ ଅଭିଭାଷଣରେ ସମସ୍ତଙ୍କ ସହଯୋଗ ଓ ସ୍ନେହ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ଭାବପ୍ରବଣ ପରିବେଶ ମଧ୍ୟରେ କାର୍ଯ୍ୟକ୍ରମର ସମାପନ ହୋଇଥିଲା।
