ଜଙ୍ଗଲରେ ମିଳିଥିବା ପରିଚୟହୀନ ନବଜାତ ଶିଶୁ ର ଶେଷକୃତ୍ୟ, ମାନବିକତା ଦେଖାଇଲା ସଂଘମିତ୍ରା ଗ୍ରୁପ୍
୯୬ ଘଣ୍ଟା ଅପେକ୍ଷା ପରେ ମଧ୍ୟ ମିଳିଲାନି ପରିଚୟ; ପୋଲିସ ଉପସ୍ଥିତିରେ ଜୀରା ନଦୀ କୂଳରେ ସମ୍ପନ୍ନ ହେଲା ଶେଷକୃତ୍ୟ
ବରଗଡ :୨୮/୦୬:(ନି ପ୍ର )ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଡୁଙ୍ଗୁରି ଫାଣ୍ଡି ଅଞ୍ଚଳର ସମରଧରା ଜଙ୍ଗଲରେ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ଏକ ନବଜାତ ଶିଶୁର ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଶିଶୁଟିର ପରିଚୟ ମିଳିନଥିବାରୁ ଆଇନଗତ ପ୍ରକ୍ରିୟା ସମ୍ପନ୍ନ ପରେ ରବିବାର ପୋଲିସର ଉପସ୍ଥିତିରେ ସଂଘମିତ୍ରା ଗ୍ରୁପ୍ ପକ୍ଷରୁ ସସମ୍ମାନେ ତାହାର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।ପୋଲିସ ସୂଚନା ଅନୁଯାୟୀ, ଗତ ୨୪ ଜୁନ୍ ତାରିଖରେ ସମରଧରା ଜଙ୍ଗଲରେ ଏକ ନବଜାତ ଶିଶୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ନେଇ ସୂଚନା ମିଳିଥିଲା। ଖବର ପାଇ ଡୁଙ୍ଗୁରି ଫାଣ୍ଡି ଓ ଅମ୍ବାଭୋନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମାତ୍ର ଡାକ୍ତରୀ ପରୀକ୍ଷା ପରେ ଶିଶୁଟିକୁ ମୃତ ଘୋଷଣା କରାଯାଇଥିଲା।ପରବର୍ତ୍ତୀ ସମୟରେ ନିୟମାନୁସାରେ ମୃତଦେହକୁ ୯୬ ଘଣ୍ଟା ପର୍ଯ୍ୟନ୍ତ ମର୍ଗରେ ସଂରକ୍ଷିତ ରଖାଯାଇଥିଲା, ଯାହାଦ୍ୱାରା କୌଣସି ପରିବାର ସଦସ୍ୟ କିମ୍ବା ଦାବିଦାର ଆସି ପରିଚୟ ଦେଇପାରିବେ। କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ କେହି ଆଗକୁ ନ ଆସିବାରୁ ପୋଲିସ ପକ୍ଷରୁ ମୃତଦେହକୁ ଶେଷକୃତ୍ୟ ପାଇଁ ସଂଘମିତ୍ରା ଗ୍ରୁପ୍କୁ ହସ୍ତାନ୍ତର କରାଯାଇଥିଲା।ରବିବାର ସଂଘମିତ୍ରା ପଟେଲଙ୍କ ନେତୃତ୍ୱରେ ତରଣୀ ସାହୁ ଓ ସୁନୀଲ ସାହୁଙ୍କ ସହଯୋଗରେ ଜୀରା ନଦୀ କୂଳରେ ପୋଲିସର ତତ୍ତ୍ୱାବଧାନରେ ଏବଂ ପ୍ରଚଳିତ ଆଇନ ଅନୁଯାୟୀ ନବଜାତ ଶିଶୁଟିର ସସମ୍ମାନେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।ଏହି ହୃଦୟବିଦାରକ ଘଟଣା ନବଜାତ ଶିଶୁଙ୍କ ସୁରକ୍ଷା, ଅଭିଭାବକଙ୍କ ଦାୟିତ୍ୱବୋଧ ଏବଂ ସାମାଜିକ ମୂଲ୍ୟବୋଧକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଥିବାବେଳେ, ପରିଚୟହୀନ ଶିଶୁର ମର୍ଯ୍ୟାଦାପୂର୍ଣ୍ଣ ଶେଷକୃତ୍ୟ କରି ସଂଘମିତ୍ରା ଗ୍ରୁପ୍ ମାନବିକ ସେବାର ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରିଛି। ସେମାନଙ୍କ ଏହି ପଦକ୍ଷେପକୁ ସ୍ଥାନୀୟ ମହଳରେ ବ୍ୟାପକ ପ୍ରଶଂସା କରାଯାଉଛି।
