କୁଲାଡ଼ ଓ କାଣ୍ଡସର ଗ୍ରାମର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ ଓ ଏଡିଏମଙ୍କ ସହ ପ୍ରତିନିଧି ଦଳର ଆଲୋଚନା
ରାଜ୍ୟ ବିଜେପି ସଭାପତିଙ୍କ ସୁପାରିସ କ୍ରମେ ଶ୍ରୀଯୁକ୍ତ ପବିତ୍ର କୁମାର ସ୍ୱାଇଁ ଓ ଶ୍ରୀ ସୁଧାଂଶୁ ଶେଖର ସାମଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଅପରାହ୍ନ ୬ଟା ସମୟରେ ଜିଲ୍ଲାପାଳ, ଅନୁଗୁଳ ଓ ଏଡିଏମଙ୍କୁ ସାକ୍ଷାତ କରି କୁଲାଡ଼ ଓ କାଣ୍ଡସର ଗ୍ରାମର ବିଭିନ୍ନ ଜନସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ଏହି ପ୍ରତିନିଧି ଦଳରେ ଅଭୟ କୁମାର ସିଂହ (ରିଣ୍ଟୁ ଭାଇ), ବିଷ୍ଣୁଚରଣ ବେହେରା, ଅମିୟ କୁମାର ତ୍ରିପାଠୀ, ପ୍ରଶାନ୍ତ କୁମାର ପାତ୍ର, ଛବି ସ୍ୱାଇଁ ଓ ବିପିନି ସେଠଙ୍କ ସହ କୁଲାଡ଼ ଓ କାଣ୍ଡସର ଗ୍ରାମର ବହୁ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ।ଆଲୋଚନାରେ ନାଲକୋ ସିଏମଡିଙ୍କ ଘୋଷିତ ମଡର୍ନ ଗ୍ରାମ ପ୍ରମାଣପତ୍ର ପ୍ରଦାନ, ପାନୀୟ ଜଳ ଯୋଗାଣ, ବିକଳ୍ପ ରାସ୍ତା ନିର୍ମାଣ, ବିଦ୍ୟୁତ ସମସ୍ୟାର ସମାଧାନ, ଖେଳପଡ଼ିଆର ଉନ୍ନତିକରଣ, ଫ୍ଲୋରାଇଡ ପ୍ରଦୂଷଣ ରୋକିବା, ଗ୍ରାମକୁ ବର୍ଜ୍ୟ ଜଳ ନିଷ୍କାସନ ବନ୍ଦ କରିବା, ବେକାର ଯୁବକ-ଯୁବତୀଙ୍କୁ ନିଯୁକ୍ତି ସୁଯୋଗ, କମ୍ୟୁନିଟି ସେଣ୍ଟର ନିର୍ମାଣ, ଠିକା ବ୍ୟବସାୟର ସରଳୀକରଣ ଓ ଟ୍ରକ ଯୋଗେ ଆଲୁମିନିୟମ ପରିବହନ ବୃଦ୍ଧି ଭଳି ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା।
ଜିଲ୍ଲାପାଳ ଓ ଏଡିଏମ ପ୍ରତିନିଧି ଦଳକୁ ଆଶ୍ୱାସନ ଦେଇ କହିଥିଲେ ଯେ କୁଲାଡ଼ ଗ୍ରାମର ପାନୀୟ ଜଳ ପ୍ରକଳ୍ପକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ଏବଂ ବିକଳ୍ପ ରାସ୍ତାର ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହି ରାସ୍ତା ନାଲକୋ କେନାଲ ଦେଇ ଆଲୁମିନିୟମ ପାର୍କ ରାସ୍ତା ସହ ସଂଯୋଗ କରାଯିବ।ସେହିପରି ବିଦ୍ୟୁତ ସମସ୍ୟା, କମ୍ୟୁନିଟି ସେଣ୍ଟର, ଖେଳପଡ଼ିଆ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ, ଫ୍ଲୋରାଇଡ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଗ୍ରାମକୁ ବର୍ଜ୍ୟ ଜଳ ନିଷ୍କାସନ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ନାଲକୋ ସିଏମଡିଙ୍କ ସହ ଶୀଘ୍ର ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉଭୟ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ।ଏହା ସହ କାଣ୍ଡସର ଗ୍ରାମର ରାସ୍ତା, ପାନୀୟ ଜଳ, ବେକାରୀ, ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ମଧ୍ୟ ଅତିଶୀଘ୍ର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି।
