*ପ୍ରବାସୀ ଶ୍ରମିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାସ୍ତରୀୟ ବୈଠକ: ଜୀବିକା ସୃଷ୍ଟି ଉପରେ ଜୋର*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୨୪/୦୬:
ପ୍ରବାସୀ ଶ୍ରମିକମାନଙ୍କ ସୁରକ୍ଷା, କଲ୍ୟାଣ ଓ ପ୍ରବାସ ପ୍ରଥାକୁ ହ୍ରାସ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।
ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁ ସ୍ୱାଗତ ଭାଷଣ ଦେଇ ଆଲୋଚନାର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ବିଭିନ୍ନ ବିଭାଗ ପକ୍ଷରୁ ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାର ପାଇଁ ଗ୍ରହଣ କରାଯାଇଥିବା ଯୋଜନା ଓ ପଦକ୍ଷେପର ଅଗ୍ରଗତି ଉପସ୍ଥାପନ କରାଯାଇଥିଲା।
ଜିଲ୍ଲା ଦକ୍ଷତା ବିକାଶ ବିଭାଗ ପକ୍ଷରୁ ‘ନାନୋ ୟୁନିକର୍ଣ୍ଣ’ ଯୋଜନାରେ ଦୁଇଟି ପ୍ରବାସୀ ପରିବାରକୁ ଏକ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। କୃଷି ବିଭାଗ ପକ୍ଷରୁ ୮୮ଟି ପ୍ରବାସୀ ପରିବାରକୁ ୨ ଲକ୍ଷ ୬୩ ହଜାର ୯୬୦ ଟଙ୍କା ସବସିଡି ପ୍ରଦାନ କରାଯାଇଛି। ସେହିପରି ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୩୧୩ଟି ପ୍ରବାସୀ ପରିବାରର ଅନୁଧ୍ୟାନ କରାଯାଇ ୧୭ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପେନସନ ସୁବିଧା ମିଳିଛି।
ପରିବହନ ବିଭାଗ ପକ୍ଷରୁ ତିନି ଜଣ ପ୍ରବାସୀ ଶ୍ରମିକଙ୍କୁ ଏଲ୍ଏମ୍ଭି ଡ୍ରାଇଭିଂ ଲାଇସେନ୍ସ ଦିଆଯାଇଥିବା ବେଳେ ଏଲ୍ଡିଏମ୍ ନୂଆପଡ଼ା ପକ୍ଷରୁ ପ୍ରବାସୀ ପରିବାରର ତିନି ଜଣ ଯୁବତୀଙ୍କୁ ସଫ୍ଟ ଟୟ ନିର୍ମାଣ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏଥିପାଇଁ ଜଣପିଛା ୯ ହଜାର ୧୨ ଟଙ୍କା ବ୍ୟୟ କରାଯାଇଛି।
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା (ମନରେଗା) ମାଧ୍ୟମରେ ପ୍ରବାସୀ ପରିବାରମାନଙ୍କୁ ରୋଜଗାର ଯୋଗାଇବା ନେଇ ବିଭିନ୍ନ ବ୍ଲକ ପକ୍ଷରୁ ତଥ୍ୟ ଦିଆଯାଇଥିଲା।
ସିନାପାଲି ବ୍ଲକରେ ୧୩୬ଟି ପ୍ରବାସୀ ପରିବାର ପାଇଁ ୩,୨୬୪ କାର୍ଯ୍ୟଦିବସ ସୃଷ୍ଟି କରି ୧୨ ଲକ୍ଷ ୧୦ ହଜାର ୯୪୪ ଟଙ୍କା ମଜୁରୀ ପ୍ରଦାନ କରାଯାଇଛି। ବୋଡେନ ବ୍ଲକରେ ୧୦୭ଟି ପରିବାର ପାଇଁ ୨,୫୬୮ କାର୍ଯ୍ୟଦିବସ ସୃଷ୍ଟି ସହ ୯ ଲକ୍ଷ ୫୨ ହଜାର ୭୨୮ ଟଙ୍କା, ଖରିଆର ବ୍ଲକରେ ୧୧୫ଟି ପରିବାର ପାଇଁ ୨,୭୬୦ କାର୍ଯ୍ୟଦିବସ ସହ ୧୦ ଲକ୍ଷ ୨୩ ହଜାର ୯୬୦ ଟଙ୍କା, କୋମନା ବ୍ଲକରେ ୧୧୭ଟି ପରିବାର ପାଇଁ ୨,୮୦୮ କାର୍ଯ୍ୟଦିବସ ସହ ୧୦ ଲକ୍ଷ ୪୧ ହଜାର ୭୬୮ ଟଙ୍କା ଏବଂ ନୂଆପଡ଼ା ବ୍ଲକରେ ୧୭୫ଟି ପରିବାର ପାଇଁ ୩,୩୧୨ କାର୍ଯ୍ୟଦିବସ ସହ ୧୨ ଲକ୍ଷ ୨୮ ହଜାର ୭୫୨ ଟଙ୍କା ମଜୁରୀ ଦିଆଯାଇଛି।
ଜିଲ୍ଲାପାଳ ଶ୍ରୀ ଦାଶ ଗ୍ରାମୀଣ ସ୍ୱନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ (ଆରସେଟି), ନୂଆପଡ଼ା ମାଧ୍ୟମରେ ପ୍ରବାସୀ ପରିବାରର ଅଧିକ ସଦସ୍ୟଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ସମସ୍ତ ବିଡିଓଙ୍କୁ ଆବଶ୍ୟକ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ।
ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
