**ନୂଆପଡା ଜିଲ୍ଲା ଜଳ ଓ ପରିମଳ ମିଶନ ବୈଠକ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ୨.୪୮ ଲକ୍ଷ କେଜି ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ, ୪.୪୪ ଲକ୍ଷ ଟଙ୍କା ଜରିମାନା ଆଦାୟ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା.୨୪/୦୬:
ନୂଆପଡ଼ା ଜିଲ୍ଲାରେ ଜିଲ୍ଲା ଜଳ ଓ ପରିମଳ ମିଶନ (ଡିଡବ୍ଲୁଏସଏମ୍)ର ୧୯ତମ ବୈଠକ ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆରଡବ୍ଲୁଏସଏସ) ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ବଢ଼ାଇ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ।ବୈଠକରେ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ସ୍ୱଚ୍ଛ ଭାରତ ଅଭିଯାନ ସଂଯୋଜକ ଅନିଲ କୁମାର ଲେଙ୍କା, ସମସ୍ତ ବ୍ଲକର ବିଡିଓ, ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।ଜିଲ୍ଲାର ପାନୀୟ ଜଳ ଯୋଗାଣ, “ହର ଘର ଜଳ” କାର୍ଯ୍ୟକ୍ରମ ଏବଂ ପରିମଳ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ବିଶେଷକରି ଜିଲ୍ଲାରେ ଚାଲିଥିବା “ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ (ଏସୟୁପି ଫ୍ରୀ ନୂଆପଡ଼ା) ଅଭିଯାନ ଓ “ବର୍ତ୍ତନ ବ୍ୟାଙ୍କ” ର ସଫଳତା ଉପରେ ଆଲୋଚନା ହୋଇଥିଲା।ସମୀକ୍ଷାରୁ ଜଣାପଡ଼ିଛି ଯେ, ୫ ଜୁନ ୨୦୨୫ ଠାରୁ ଜିଲ୍ଲାରେ “ଏସୟୁପି ଫ୍ରୀ ନୂଆପଡ଼ା” ଅଭିଯାନ ଅଧୀନରେ ୩,୪୨୧ଟି ସଚେତନତା କାର୍ଯ୍ୟକ୍ରମ ଓ ୭,୪୪୫ଟି ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଛି। ଏହି ଅଭିଯାନ ମାଧ୍ୟମରେ ୨,୪୮,୩୯୧ କିଲୋଗ୍ରାମ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରାଯାଇଥିବା ବେଳେ ୩,୯୫୬ କିଲୋଗ୍ରାମ ନିଷିଦ୍ଧ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ଜବତ କରାଯାଇଛି। ଏଥିସହ ୪ ଲକ୍ଷ ୪୪ ହଜାର ୫୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି।ସେହିପରି “ବର୍ତ୍ତନ ବ୍ୟାଙ୍କ” କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ୧୭୭ଟି ଲକ୍ଷ୍ୟ ମଧ୍ୟରୁ ୧୭୦ଟି ବର୍ତ୍ତନ ବ୍ୟାଙ୍କ ସ୍ଥାପନ କରାଯାଇ ୯୬.୦୫ ପ୍ରତିଶତ ସଫଳତା ହାସଲ ହୋଇଛି। ଗ୍ରାମାଞ୍ଚଳରେ ଧାର୍ଯ୍ୟ ୧୩୧ଟି ଲକ୍ଷ୍ୟର ଶତପ୍ରତିଶତ ସଫଳତା ହାସଲ ହୋଇଛି।ଜିଲ୍ଲାପାଳ ଶ୍ରୀ ଦାଶ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର ସମୟୋପଯୋଗୀ କାର୍ଯ୍ୟକାରିତା ଏବଂ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ।
