ବରପାଲି ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ହତ୍ୟା ଅଭିଯୁକ୍ତ ରମାକାନ୍ତ ପୂଜାରୀ ଗିରଫ, ଟାଙ୍ଗିଆ ଓ ଗାଡ଼ି ଜବତ
ବରଗଡ଼: ୨୪/୦୬(ନି ପ୍ର )ବରଗଡ଼ ଜିଲ୍ଲା ବରପାଲି ଥାନା ଅଞ୍ଚଳରେ ଘଟିଥିବା ଚାଞ୍ଚଲ୍ୟକର ମହିଳା ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି ପୋଲିସ। ବରପାଲି ଥାନା ପୋଲିସ ଏହି ଘଟଣାରେ ମୁଖ୍ୟ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବେହେରାମାଳ ଗ୍ରାମର ରମାକାନ୍ତ ପୂଜାରୀ (୫୬)।
ପୋଲିସ ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମୃତ ମହିଳା ଜଣକ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ସାହାଜବାହାଲ ଗ୍ରାମର ମମତା ହୋତା (୫୭) ବୋଲି ଚିହ୍ନଟ କରାଯାଇଛି। ତଦନ୍ତ ସମୟରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଥିଲା।
ଆର୍ଥିକ କାରବାରରୁ ହତ୍ୟାକାଣ୍ଡ:
ଏକ ସମ୍ବାଦଦାତା ସମ୍ମିଳନୀରେ ବରଗଡ଼ ଏସପି ରବିନ୍ଦ୍ରନାଥ ଶତପଥୀ ଜଣାଇଛନ୍ତି ଯେ, ମୃତ ମହିଳା ଏବଂ ଅଭିଯୁକ୍ତ ରମାକାନ୍ତଙ୍କ ମଧ୍ୟରେ କିଛି ଆର୍ଥିକ କାରବାରକୁ ନେଇ ଶତ୍ରୁତା ଲାଗି ରହିଥିଲା। ଏହି ଆର୍ଥିକ ବିବାଦ ଉଗ୍ର ରୂପ ନେବା ପରେ ରମାକାନ୍ତ ମହିଳାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ।
ମାରଣାସ୍ତ୍ର ଓ ଗାଡ଼ି ଜବତ:
ପୋଲିସ ଅଭିଯୁକ୍ତ ରମାକାନ୍ତଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ରକ୍ତଭିଜା ଟାଙ୍ଗିଆ ଏବଂ ଟିଭିଏସ ଏକ୍ସଏଲ (TVS XL) ମୋଟରସାଇକେଲ ଜବତ କରିଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
