ବାଲିଗୁଡ଼ାରେ ବେଆଇନ ଗଞ୍ଜେଇ ଚାଷ ପାଇଁ ଆସିଥିବା ୩୫ ଟନ୍ ଡିଏପି ସାର ଜବତ।
ଗୋଦାମ ସିଲ୍, ଟ୍ରକ୍ ଜବତ; ମାମଲା ରୁଜୁ
ବାଲିଗୁଡ଼ା, ୩୧ ଅଗଷ୍ଟ ୨୦୨୬:
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ବିରୋଧୀ ଅଭିଯାନରେ ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ଗୋଦାମରେ ଚଢ଼ାଉ କରି ପ୍ରାୟ ୩୫ ଟନ୍ ବା ୭୦୦ ବସ୍ତା ଡିଏପି ସାର ଜବତ କରାଯାଇଛି। ଏହା ବେଆଇନ ଗଞ୍ଜେଇ ଚାଷରେ ବ୍ୟବହାର ପାଇଁ ଗଚ୍ଛିତ ରଖାଯାଇଥିବା ନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି। ପୋଲିସ ସୂଚନା ଅନୁଯାୟୀ, ‘ମାଆ ସାବିତ୍ରୀ ଆଗ୍ରୋ ଏଜେନ୍ସି’ ସହ ସମ୍ପୃକ୍ତ ଏକ ଗୋଦାମରେ ଏହି ସାର ମହଜୁଦ ଥିଲା। ଚଢ଼ାଉ ସମୟରେ ସାର ସହ ଓଡି-୦୭-ଆର୍-୫୨୫୩ ନମ୍ବରର ଏକ ଟ୍ରକ୍ ମଧ୍ୟ ଜବତ କରାଯାଇଛି। ତଦନ୍ତକୁ ଦୃଷ୍ଟିରେ ରଖି ଗୋଦାମକୁ ସିଲ୍ କରାଯାଇଛି। ଘଟଣା ସମ୍ପର୍କରେ ବାଲିଗୁଡ଼ା ଥାନାରେ କେସ୍ ନମ୍ବର ୨୧୯/୨୬ ରେ ମାମଲା ରୁଜୁ ହୋଇଥିବା ବେଳେ, ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୮(୪), ୩୦୩(୨) ଏବଂ Essential Commodities Act, 1955 ର ଧାରା ୭ ଅନୁଯାୟୀ ତଦନ୍ତ କରାଯାଉଛି। ଏତେ ବିପୁଳ ପରିମାଣର ସାର କେଉଁଠାରୁ ଆସିଥିଲା, ଏହାର ଯୋଗାଣକାରୀ କିଏ ଏବଂ କେଉଁ ଅଞ୍ଚଳକୁ ଏହା ପଠାଇବାର ଯୋଜନା ଥିଲା—ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି।
ବେଆଇନ ଗଞ୍ଜେଇ ଚାଷର ମୂଳ ଯୋଗାଣ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।
